ବିଲୁପ୍ତି ପଥେ କାଳବୈଶାଖୀ

ସତର୍କତା : କାଳବୈଶାଖୀ ପ୍ରବାହ ସମୟରେ ପବନ ଜୋର୍‌ରେ ବହୁଥିବାରୁ ପୁରୁଣା ଚାଳଘର ପରିବର୍ତ୍ତେ କୋଠାଘରେ ଆଶ୍ରୟ ନେବା ଉଚିତ। ପବନରେ ଗଛ ଡାଳ ଭାଙ୍ଗି ଯିବାର ସମ୍ଭାବନା ଥିବାରୁ ଏହି ସମୟରେ ମଧ୍ୟ ଗଛତଳେ ଆଶ୍ରୟ ନେବା ଅନୁଚିତ। ଏହି ସମୟରେ ମଧ୍ୟ ବଜ୍ରପାତର ଆଶଙ୍କା ଥିବାରୁ ଟିଣ ଘରେ, ଗଛ ତଳେ କିମ୍ବା ବିଜୁଳି ଖୁଣ୍ଟ ତଳେ ଆଶ୍ରୟ ନେବା ଅନୁଚିତ। ଝଡ଼ ସମୟରେ ବିଜୁଳି ଯୋଗାଣ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାର ସମ୍ଭାବନା ଥିବାରୁ ସେଥିପାଇଁ ଆବଶ୍ୟକ ସାମଗ୍ରୀ ସହିତ ପୂର୍ବରୁ ପ୍ରସ୍ତୁତ ହୋଇ ରହିବା ଆବଶ୍ୟକ।
ଛନ୍ଦହରା କାଳବୈଶାଖୀ : ମାତ୍ର ଏବେ ପରିସ୍ଥିତି ବଦଳିଯାଇଛି। କାଳବୈଶାଖୀର ସଂଖ୍ୟା ଏବେ ଆଶାତୀତ ହ୍ରାସ ପାଇଛି। କାଳବୈଶାଖୀର ପ୍ରଭାବରେ ପ୍ରଭାବିତ ଅଞ୍ଚଳରେ ଯେତିକି ବୃଷ୍ଟିପାତ ହେବା କଥା, ଏବେ ତା’ଠାରୁ ଯଥେଷ୍ଟ କମ୍‌ ବୃଷ୍ଟିପାତ ହେଉଛି। ଏଥିପାଇଁ ଜଳବାୟୁ ବିଜ୍ଞାନୀମାନେ ମୁଖ୍ୟତଃ ଜଳବାୟୁ ପରିବର୍ତ୍ତନ ତଥା ବାୟୁମଣ୍ଡଳୀୟ ପ୍ରଦୂଷଣକୁ ଦାୟୀ କରୁଛନ୍ତି। ବାୟୁମଣ୍ଡଳୀୟ ପ୍ରଦୂଷଣ କାରଣରୁ ଭୂପୃଷ୍ଠର ପ୍ରଦୂଷକ ପଦାର୍ଥସବୁ ଊର୍ଦ୍ଧ୍ୱମୁଖୀ ତୀବ୍ର ବାୟୁସ୍ରୋତରେ ଉପରକୁ ଉଠି ନିମ୍ନ ଉଚ୍ଚତାରେ ଥିବା କଳାହାଣ୍ଡିଆ ବାଦଲସବୁରେ ପହଞ୍ଚତ୍ ଯାଉଛନ୍ତି। ଏହାଦ୍ୱାରା କଳାହାଣ୍ଡିଆ ବାଦଲର ପରିସୀମା ସଙ୍କୁଚିତ ହୋଇ ସେଗୁଡ଼ିକର ଜଳ ଧାରଣ କ୍ଷମତା କମିଯାଉଛି। ଫଳରେ ସେଗୁଡ଼ିକ ସ୍ବଳ୍ପ ବୃଷ୍ଟିପାତ ପ୍ରବଣ ପାଲଟି ଯାଉଛନ୍ତି। ଆଉ ଏକ ମତବାଦ ଅନୁସାରେ, ଏହାର ଉତ୍ପତ୍ତି ଅଞ୍ଚଳରେ ସୂର୍ଯ୍ୟତାପ ଯୋଗୁ ଭୂମି ଯେତିକି ଉତ୍ତପ୍ତ ହେବା କଥା, ସେତିକି ଉତ୍ତପ୍ତ ହେଉ ନାହିଁ। ଏହାର କାରଣ ହେଉଛି ଏହାର ଉତ୍ପତ୍ତିସ୍ଥଳ ଛୋଟନାଗପୁର ମାଳଭୂମି ଅଞ୍ଚଳରେ ଲୋକମାନେ ଖରାଦିନେ ଧାନ ଇତ୍ୟାଦି ଖରାଟିଆ ଫସଲ ଚାଷ କରିବାରୁ ଭୂମି ଜଳରେ ପ୍ଳାବିତ ହୋଇ ଅଧିକ ଉତ୍ତାପ ଗ୍ରହଣ କରି ପାରୁ ନାହିଁ। ଫଳରେ ସେଠାରେ ଶକ୍ତିଶାଳୀ ଲଘୁଚାପମାନ ସୃଷ୍ଟି ହୋଇ ପାରୁନାହିଁ। କାଳବୈଶାଖୀର ଅନୁପସ୍ଥିତିରେ ମଝିରେ ମଝିରେ ବର୍ଷା ହୋଇ ନ ପାରିବାରୁ ଖରାଦିନର ପ୍ରଚଣ୍ଡ ଗରମରୁ ଆଶ୍ୱସ୍ତି ମିଳୁନାହିଁ।
ସୁତରାଂ ପ୍ରାକୃତିକ କିମ୍ବା ମନୁଷ୍ୟକୃତ କାରଣରୁ ହେଉ, ଏପରି ଧାରା ଅବ୍ୟାହତ ରହିଲେ, ଦିନ ଆସିବ ପ୍ରକୃତିର ଏହି ବିଚିତ୍ର ଓ ବିରଳ ଘଟଣା କାଳବୈଶାଖୀ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯିବ ଏବଂ ଏହା ଆମ ପିଲାଙ୍କ ପାଇଁ କେବଳ ଏକ ପରୀକଥା ହୋଇ ରହିଯିବ!

(ଶେଷ ଭାଗ)
-ନିକୁଞ୍ଜ ବିହାରୀ ସାହୁ,
ଏଜୁକେଶନ ଅଫିସର୍‌,
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ
ମୋ: ୮୯୧୭୬୩୭୯୭୪