କାଳବୈଶାଖୀ: ଉଡ଼ିଲା ଛପର,ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟି

କୋରାପୁଟ /ନାରାୟଣପାଟଣା, ୧୦ା୬(ସ୍ବ.ପ୍ର./ଡି.ଏନ୍‌.ଏ.): କାଳବୈଶାଖୀର ପ୍ରଭାବ କୋରାପୁଟ ଜିଲାର ନାରାୟଣପାଟଣାରେ ଶୁକ୍ରବାର ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ ବୋହି ଦୁଇଟି ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିବା ସହ ତାରଗୁଡିକ ଛିଣ୍ଡିଯାଇଥିଲା। ଫଳରେ ପାଲକଣ୍ଡା ସାହି ଓ ବିସ୍ଥାପିତ ସାହିଗୁଡିକ ଅନ୍ଧାରରେ ଦେଖିବାକୁ ମିଳିଥିଲା। ଖବର ଲେଖାହେବା ବେଳକୁ ଉପରୋକ୍ତ ଦୁଇ ସାହିରେ ବିଦ୍ୟୁତ୍‌ ସରବରାହ ବନ୍ଦ ଥିଲା। ବିଦ୍ୟୁତ୍‌ ବିଭାଗ କର୍ମଚାରୀ ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ସଜାଡିବା ଲାଗି ଉଦ୍ୟମ ଚଳାଇଥିବା ଜଣାପଡିଛି। ପାଲକୋଣ୍ଡା ସାହି ଓ ଚମ୍ପିକଟାସାହିରେ ଏକାଧିକ ଘରର ଟିଣ ଛପର ଉଡ଼ିଯାଇଛି। କେତେକ ଘରର ଆଜବେଷ୍ଟସ୍‌ ଭାଙ୍ଗିଯାଇଛି। ଗତ ରାତିରେ ପ୍ରବଳ ବର୍ଷା ସହ ଘଡ଼ ଘଡ଼ି ଶବ୍ଦ ହୋଇ ପ୍ରବଳ ବେଗରେ ପବନ ବୋହିଥିଲା। ଅନେକ ଘରର ଟିଣ ଓ ଆଜବେଷ୍ଟସ୍‌ ସିଟ୍‌ ଭାଙ୍ଗିଯିବା ଅନେକ କ୍ଷୟକ୍ଷତି ହୋଇଛି। ସହରର ପାଲକୁଣ୍ଡା ସାହିର ରବି ନାଚିକା ଓ ଚାମ୍ପିକଟା ସାହିର ବାବୁଲା ପାତ୍ରଙ୍କ ସହ ଅନେକ ଘରର ଟିଣଛପର ଉଡ଼ିଯାଇଥିବା ଦେଖିବାକୁ ମିଳିଛି।

Share