Categories: ଖେଳ

କଳାହାଣ୍ଡି କପ୍‌: କଟକ ‘ଏ’ ଚାମ୍ପିୟନ

ଭୁବନେଶ୍ୱର,୯ା୬ (ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ୍‌ (ଓସିଏ) ଆନୁକୂଲ୍ୟରେ କଟକର ରେଭେନ୍ସା-୧ ଗ୍ରାଉଣ୍ଡରେ ଅନୁଷ୍ଠିତ ଆନ୍ତଃଜିଲା କଳାହାଣ୍ଡି କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ଚାମ୍ପିୟନ୍‌ ହୋଇଛି କଟକ ‘ଏ’। ଫାଇନାଲରେ ସାଇଦୀପ ମହାପାତ୍ରଙ୍କ ଶତକ ଏବଂ ସୌଭାଗ୍ୟ ମିଶ୍ରଙ୍କ ଦୃଢ଼ ବ୍ୟାଟିଂ ବଳରେ କଟକ ‘ଏ’ ପ୍ରଥମ ଦିବସ ଖେଳ ଶେଷସୁଦ୍ଧା ୯୦ ଓଭରରେ ୭ ଉଇକେଟ ହରାଇ ୩୬୧ ରନ ସଂଗ୍ରହ କରିଥିଲା। ଜବାବରେ ଅବଶିଷ୍ଟ ଓଡ଼ିଶା ଡି ୯୦ ଓଭରରେ ୮ ଉଇକେଟରେ ୧୮୮ ରନ୍‌ କରିଥିଲା। ଦଳ ପକ୍ଷରୁ ଦେବେନ୍ଦ୍ର ୪୮ ରନ୍‌ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜାମଳା ବି ମହାପାତ୍ର ୩୬ ଓ ଶୁଭମ ନାୟକ ୩୪ ରନ୍‌ କରିଥିଲେ। କଟକ ପକ୍ଷରୁ ରାମଚନ୍ଦ୍ର ବେହେରା ୩୦ ରନ୍‌ ଦେଇ ୬ ଉଇକେଟ ନେଇଥିଲେ। ପ୍ରଥମ ଦିନରେ ସାଇଦୀପ ୨୧୯ ବଲ୍‌ରୁ ୧୭୬ ରନର ଇନିଂସ ଖେଳିଥିବା ବେଳେ ସୌଭାଗ୍ୟ ୮୬ ରନ କରିଥିଲେ। ଅବଶିଷ୍ଟ ଓଡ଼ିଶା ‘ଡି’ ପକ୍ଷରୁ ଜାମଳା ଭଞ୍ଜନ ମହାପାତ୍ର ୩ଟି ଓ ମିଲନ ସାମଲ ୨ଟି ଉଇକେଟ ନେଇଥିଲେ। ଉଦ୍‌ଯାପନୀ ତଥା ପୁରସ୍କାର ବିତରଣୀ ଉତ୍ସବରେ ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡ. ସଞ୍ଜୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଧାୟକ ସୌଭିକ ବିଶ୍ୱାଳ, ଫାଓ ସମ୍ପାଦକ ଆଶୀର୍ବାଦ ବେହେରା, ଓସିଏ ଉପସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା, ଯୁଗ୍ମ ସମ୍ପାଦକ ପ୍ରଭାତ କୁମାର ଭୋଳ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନସିଲ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ । ଏହି ଅବସରରେ ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

Share