କଳାହାଣ୍ଡିରେ ବଢୁଛି ଦାଦନ ଦୁଃଖ, ୪ ମାସରେ ଫେରିଲାଣି ୧୨ ଜଣଙ୍କ ମୃତଦେହ

ଭବାନୀପାଟଣା,୨୧।୯(ଉତ୍ତମ କୁମାର ଦାଶ): ଦାଦନକୁ ରୋକିବା ଓ ଶ୍ରମିକଙ୍କ ପାଇଁ ସରକାର ଅନେକ ଯୋଜନା ତିଆରି କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ପରେ କଳାହାଣ୍ଡି ଜିଲାରେ କମି ପାରୁନି ଦାଦନ ଦୁଃଖ। ଲୋକେ ଦାଦନ ଯାଇ ଶବ ହୋଇ ଫେରୁଛନ୍ତି। ବିଶେଷ କରି ଜିଲାର ଲାଞ୍ଜିଗଡ଼, କଲମପୁର, ଧର୍ମଗଡ଼, କୋକସରାରେ ଦାଦନ ଶ୍ରମିକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୪ ମାସରେ କେବଳ କଲମପୁର ବ୍ଲକରେ ୧୨ଜଣ ଦାଦନ ଶ୍ରମିକଙ୍କ ମୃତ ହୋଇଥିବାବେଳେ ଏହି ଗୋଟିଏ ସପ୍ତାହରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ତଥାପି ବି ଜିଲା ପ୍ରଶାସନର କୌଣସି ନିଘା ନାହିଁ। କଲମପୁର ବ୍ଲକର ପ୍ରାୟ ଦାଦନ ବେଙ୍ଗାଲୁରୁ ଯାଉଥିବା ବେଳେ ଲାଞ୍ଜିଗଡ଼ ବ୍ଲକର ଦାଦନମାନେ ପ୍ରାୟ ହାଇଦ୍ରାବାଦକୁ ଯାଉଥିବାର ସୂଚନା ମିଳିଛି। ଗତ ଫେବୃୟାରୀରେ ତାମିଲନାଡୁରେ ୧୩ଜଣ ଶ୍ରମିକ ବନ୍ଧା ପଡିଥିବା ଭିଡିଓ ସାମ୍ନାକୁ ଆସିବା ପରେ ଟାଉନ ଥାନାରୁ ଏସଆଇ ଦୀପ୍ତିକାନ୍ତ ବାରିକ ଯାଇ ସେମାନଙ୍କୁ ଉଦ୍ଧାର କରିିଥିଲେ। ଅନ୍ୟପଟେ ଜିଲା ଶ୍ରମ ବିଭାଗରେ ଶ୍ରମିକମାନଙ୍କ କୌଣସି ତଥ୍ୟ ନ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜିଲା ଶ୍ରମ ବିଭାଗ ଅଧିକାରୀ ସୁବାସ ଚନ୍ଦ୍ର ମଣ୍ଡଳଙ୍କ କହିବା ଅନୁସାରେ ଶ୍ରମିକମାନେ ରେଜିଷ୍ଟ୍ରେଶନ କରିକି ଯାଉ ନ ଥିବାରୁ ତାଙ୍କ ପାଖରେ ତଥ୍ୟ ରହୁନି। ଯେଉଁ କଣ୍ଟ୍ରାକ୍ଟରମାନେ ଶ୍ରମିକମାନଙ୍କୁ ନେବା ପାଇଁ ଲାଇସେନ୍ସ କରିଛନ୍ତି, ସେମାନଙ୍କ ମଧ୍ୟ କୌଣସି ଠିକ ତଥ୍ୟ ଶ୍ରମ ବିଭାଗ ପାଖରେ ନାହିଁ। ଖାଲି ସଚେତନତା ପାଇଁ ସଚେତନ ରଥ ଗଡେଇ ଦେଇ ଶ୍ରମ ବିଭାଗ କାମ ସାରି ଦେଉଛି।

Share