କଳାହାଣ୍ଡି ବିଜୟୀ, ଦ୍ୱିତୀୟ ମ୍ୟାଚ୍‌ରେ ବର୍ଷା ବାଧା

ବରଗଡ଼, ୨୭।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଏବଂ ବରଗଡ଼ ଜିଲା କ୍ରୀଡ଼ା ସଂସଦର ମିଳିତ ଆୟୋଜନରେ ଅନୁଷ୍ଠିତ ଆନ୍ତଃ ଜିଲା ସାହାଣୀ କପ୍‌ ଫୁଟବଲ ପ୍ରତିଯୋଗିତାରେ ଗୁରୁବାର କଳାହାଣ୍ଡି ଓ ନୂଆପଡ଼ା ମଧ୍ୟରେ ପ୍ରଥମ ମ୍ୟାଚ୍‌ ଖେଳାଯାଇଥିଲା। ଏଥିରେ କଳାହାଣ୍ଡି ଦଳ ବିଜୟୀ ହୋଇଥିଲା। ସେହିପରି କନ୍ଧମାଳ ଓ ବଲାଙ୍ଗୀର ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ମ୍ୟାଚ୍‌ର ଦ୍ୱିତୀୟାର୍ଦ୍ଧ ଖେଳ ଆରମ୍ଭର ୪ ମିନିଟ ପରେ ବର୍ଷା ଯୋଗୁ ସ୍ଥଗିତ ରଖିବାକୁ ପଡ଼ିଥିଲା। ଅସମାପ୍ତ ଖେଳ ଶୁକ୍ରବାର ସକାଳ ୭ଟା ୩୦ ମିନିଟରେ ଅନୁଷ୍ଠିତ ହେବ। କଳାହାଣ୍ଡି ଓ ନୂଆପଡା ମଧ୍ୟରେ ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ପ୍ରଥମ ମ୍ୟାଚ୍‌ରେ କଳାହାଣ୍ଡି ଦଳ ୪-୨ ଗୋଲରେ ବିଜୟୀ ହୋଇଥିଲା। କଳାହାଣ୍ଡି ପକ୍ଷରୁ ଗଜେନ ମୁର୍ମୁ ୨ଟି ଗୋଲ ଦେଇଥିବାବେଳେ ଦେବାନନ୍ଦ ବୁଦୁଲିଆ, ସୁଜିତ ବାର୍ଲା ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ନୂଆପଡା ପକ୍ଷରୁ ତରୁଣ ମାଝୀ ୨ଟି ଗୋଲ ସ୍କୋର କରିଥିଲେ ।
ସେହିପରି ଦ୍ୱିତୀୟ ମ୍ୟାଚ୍‌ କନ୍ଧମାଳ ଓ ବଲାଙ୍ଗୀର ମଧ୍ୟରେ ହୋଇଥିଲା। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା କନ୍ଧମାଳ ଦଳ ୩-୧ ଗୋଲ ବ୍ୟବଧାନରେ ଆଗୁଆ ଥିଲା। ଦ୍ୱିତୀୟାର୍ଦ୍ଧର ୪ ମିନିଟ୍‌ ପରେ ପ୍ରବଳ ବର୍ଷା ଯୋଗୁ ମ୍ୟାଚ୍‌କୁ ସ୍ଥଗିତ ରଖିବାକୁ ପଡ଼ିଥିଲା। ଶୁକ୍ରବାର ସକାଳ ସାଢ଼େ ୭ଟାରେ ଏହି ଅସମାପ୍ତ ଖେଳର ଆୟୋଜନ ହେବ। ଜିଲା କ୍ରୀଡ଼ା ସଂସଦର ଉପସଭାପତି ଯୁଗଳ ପ୍ରସାଦ ସିଂଙ୍କ ସଭାପତିତ୍ୱ ଓ ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ପ୍ରାକ୍ତନ ଖେଳାଳି ଅତିଶ ପଣ୍ଡା, ଜ୍ଞାନରଞ୍ଜନ ପୂଜାରୀ ଓ ମନୋରଞ୍ଜନ କୁମାର ଅତିଥି ଭାବେ ଯୋଗଦେଇ କଳାହାଣ୍ଡି ଦଳର ୧୦ ନମ୍ବର ଖେଳାଳି ସୁଜିତ ବାର୍ଲାଙ୍କୁ ପ୍ରଥମ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରିଥିଲେ।