ବିଲୁପ୍ତି ପଥେ କାଳବୈଶାଖୀ

ଖରାଦିନର ଏକ ଉତ୍ତପ୍ତ ଅପରାହ୍ନ। ଧୁ ଧୁ ମୁଣ୍ଡଫଟା ଖରା, ପ୍ରବଳ ଗରମ, ଗୁଳୁଗୁଳି ଓ ଝାଞ୍ଜି ପବନରେ ଅତିଷ୍ଠ ସାଧାରଣ ଜନଜୀବନ। ପିଲାମାନେ ଯାଇଥାନ୍ତି ଆମ୍ବତୋଟାକୁ ଆମ୍ବ ଖାଇବାକୁ। ହଠାତ୍‌ ପବନ ସୁ ସୁ ବହିବାକୁ ଆରମ୍ଭ କରେ। ଚାରିଆଡ଼ ଧୂଳି ଉଡ଼ାଇ ମାଡ଼ିଆସେ ଧୂମାଳ ଓ ପ୍ରଚଣ୍ଡ କଳାହାଣ୍ଡିଆ ମେଘ। ଚାହୁଁ ଚାହୁଁ ପାଗ ସମ୍ପୂର୍ଣ୍ଣ ବଦଳିଯାଏ। ପ୍ରଚଣ୍ଡ ଘଡ଼ଘଡ଼ି ଓ ବିଜୁଳି ସହିତ ପ୍ରବଳ ବର୍ଷା ବର୍ଷିବାକୁ ଲାଗେ। କୁଆପଥର ବି ପଡ଼ିଥାଏ। ପିଲାମାନେ ଭୟରେ ଆମ୍ବତୋଟାରୁ ଘରକୁ ଦୌଡ଼ିବାକୁ ଲାଗନ୍ତି। ଗଛ ଡାଳସବୁ ମଡ଼ମଡ଼ ହୋଇ ଭାଙ୍ଗି ପଡ଼େ। କିଛି ସମୟ ପରେ ବର୍ଷା ସମ୍ପୂର୍ଣ୍ଣ ଛାଡ଼ିଯାଏ, ପବନ ବି ଥମିଯାଏ ଓ ପାଗ ପୁଣି ସାଧାରଣ ଅବସ୍ଥାକୁ ଫେରିଆସେ। ଏହା ହିଁ ଆମ ଗାଁ ଗହଳିରେ ଅଦିନିଆ ଝଡ଼, ଯାହା ସାଧାରଣତଃ ‘କାଳବୈଶାଖୀ’ ନାମରେ ପରିଚିତ। ପବନ ଛାଡ଼ିଯିବା ପରେ ଲୋକମାନେ ଆମ୍ବତୋଟାକୁ ଯାଇ ଝଡ଼ିପଡ଼ିଥିବା ଆମ୍ବ ତୋଳିବାର ଦୃଶ୍ୟର ସ୍ମତି ଏବେ ବି ଆମ ଗାଁ ଗହଳିରେ ଉଜ୍ଜୀବିତ।
କାଳବୈଶାଖୀର କାୟା : କାଳବୈଶାଖୀ ଏକ ସ୍ଥାନୀୟ ବାୟୁପ୍ରବାହ ଏବଂ ଏକ ଝଡ଼, ଯାହା ସାଧାରଣତଃ ଝରାଦିନେ କିଛି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଯଥା ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ତ୍ରିପୁରା, ଆସାମ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ପ୍ରବାହିତ ହୋଇଥାଏ। ଏହା ଆମ ଓଡ଼ିଶାରେ ସାଧାରଣତଃ ବୈଶାଖ ମାସରେ ପ୍ରବାହିତ ହେଉଥିବାରୁ ଏହାକୁ ‘କାଳବୈଶାଖୀ’ ବୋଲି କୁହାଯାଏ। ଏହିସବୁ ଅଞ୍ଚଳ ଏପ୍ରିଲ ମାସରୁ ଆରମ୍ଭ କରି ଜୁନ୍‌ ମାସର ପ୍ରାରମ୍ଭ ପର୍ଯ୍ୟନ୍ତ କାଳବୈଶାଖୀର କରାଳ ପରିଧି ମଧ୍ୟରେ ଥାଏ। ଏହା ବିହାର ଓ ଝାଡ଼ଖଣ୍ଡ ରାଜ୍ୟ ମଧ୍ୟରେ ଥିବା ଛୋଟନାଗପୁର ମାଳଭୂମି ଅଞ୍ଚଳରୁ ଉତ୍ପତ୍ତି ହୋଇଥାଏ, ଯାହା ସମୟକ୍ରମେ ଶକ୍ତିଶାଳୀ ହୋଇ ଉତ୍ତରପୂର୍ବ ଦିଗରେ ଗତି କରି ଓଡ଼ିଶା, ପଶ୍ଚିମବଙ୍ଗ ଓ ଆସାମ ଦିଗରେ ଅଗ୍ରସର ହୋଇଥାଏ। ଝଡ଼ରେ ପବନର ବେଗ ସାଧାରଣତଃ ୫୦ ରୁ ୬୦ କି.ମି. ହୋଇଥିଲାବେଳେ ବେଳେବେଳେ ଏହା ବୃଦ୍ଧି ପାଇ ଘଣ୍ଟା ପ୍ରତି ୧୦୦ କି.ମି. ପର୍ଯ୍ୟନ୍ତ ଦୂରନ୍ତ ବେଗରେ ପ୍ରବାହିତ ହୋଇଥାଏ। ପ୍ରବଳ ବୃଷ୍ଟିପାତ ସହିତ କୁଆପଥର ବି ପଡ଼ିଥାଏ। ଏହା ମଧ୍ୟ ବାଂଲାଦେଶରେ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି ଘଟାଇଥାଏ।
କ୍ଷୟକ୍ଷତି ଓ ଉପକାର : କାଳବୈଶଖୀର ପ୍ରଭାବରେ ଧନଜୀବନର ଅନେକ କ୍ଷୟକ୍ଷତି ଘଟିଥାଏ। ପବନରେ ଗାଁ ଗହଳିର ପୁରୁଣା ଚାଳଘର ସବୁର ଛପର ଉଡ଼ିଯାଏ ତଥା ବାଡ଼ିବଗିଚାର ବୁଢ଼ା ଗଛ ସବୁ ଭାଙ୍ଗି ପଡ଼ନ୍ତି। ଏହି ସମୟର ଏକ ପ୍ରାକୃତିକ ବିତ୍ପାତ ହେଉଛି ବଜ୍ରପାତ। କାଳବୈଶାଖୀର ଅନ୍ତୁଡ଼ିଶାଳ କଳାହାଣ୍ଡିଆ ବାଦଲର ସ୍ବଳ୍ପ ଉଚ୍ଚତା ହେତୁ ଏଥିରୁ ବଜ୍ରପାତ ସୃଷ୍ଟି ହୋଇ ଭୂପୃଷ୍ଠରେ ପଡ଼ି ଧନଜୀବନ ହାନି ଘଟାଇବା ଏକ ସାଧାରଣ ଘଟଣା। ସୁତରାଂ କାଳବୈଶାଖୀ ପ୍ରଭାବରେ ବଜ୍ରପାତ କିମ୍ବା ଗଛ, ଘର ଭାଙ୍ଗି ପଡ଼ିବା ହେତୁ ଜୀବନହାନି ଘଟିବାର ଆଶଙ୍କା ରହିଥାଏ। ମାତ୍ର ଝଡ଼ର ଏପରି ପ୍ରଳୟଙ୍କରୀ ରୂପ ସତ୍ତ୍ୱେ ଏହା ପାଗ ଥଣ୍ଡା ରଖି ପରିବେଶର ତାପମାତ୍ରା ହ୍ରାସ କରିବାରେ ସହାୟକ ହୋଇଥାଏ, ଯାହାଦ୍ୱାରା ଖରାଦିନର ତାପମାତ୍ରା ନିୟନ୍ତ୍ରଣରେ ରହିଥାଏ। କାଳବୈଶାଖୀର ବୃଷ୍ଟିପାତ ଧାନ, ଝୋଟ ଭଳି ଖରିଫ ଫସଲ ନିମନ୍ତେ ବେଶ୍‌ ଲାଭକାରୀ ପ୍ରମାଣିତ ହୋଇଥାଏ। ଅବଶ୍ୟ କୁଆପଥର ମାଡ଼ରେ କିଛି ଫସଲ ହାନି ମଧ୍ୟ ଘଟିଥାଏ। ଏହା ମଧ୍ୟ ଶୁଖିଲା ମାଟିକୁ ଆର୍ଦ୍ର ରଖେ ଯାହା କୃଷିକାର୍ଯ୍ୟରେ ସହାୟକ ହୋଇଥାଏ। ଆହୁରି ମଧ୍ୟ, ବାୟୁରେ ଉଡୁଥିବା ଧୂଳିକଣାସବୁ ବର୍ଷାରେ ତଳେ ପଡ଼ିଯିବାରୁ ଆକାଶ ନିର୍ମଳ ଓ ସ୍ବଚ୍ଛ ଦିଶିଥାଏ। ଝଡ଼ର ପବନରେ ବାୟୁରେ ଉଡୁଥିବା ଫସଲର ଅନିଷ୍ଟକାରୀ କୀଟପତଙ୍ଗ ସବୁ ମଧ୍ୟ ମରିଯାଇଥାନ୍ତି।
କିପରି ସୃଷ୍ଟି ହୁଏ : ଗ୍ରୀଷ୍ମଦିନର ପ୍ରଚଣ୍ଡ ତାପମାତ୍ରାରେ ଉତ୍ତର ଓ ମଧ୍ୟ ଭାରତର ବାୟୁ ଗରମ ହୋଇ କ୍ରମାଗତ ଉପରକୁ ଉଠୁଥାଏ। ବିଶେଷକରି, ପାହାଡ଼ିଆ ମାଳଭୂମି ଅଞ୍ଚଳ ଅତ୍ୟଧିକ ଉତ୍ତପ୍ତ ହୋଇଥିବାରୁ ସେଠାରେ ଏହି ପ୍ରଭାବ ତୀବ୍ରତର ହୋଇଥାଏ। ଫଳରେ ସେଠାକାର କିଛି କିଛି ସ୍ଥାନରେ ବାୟୁସ୍ତରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୁଏ। ଏହି ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ଚତୁର୍ଦ୍ଦିଗରୁ ପବନ ଲଘୁଚାପର କେନ୍ଦ୍ର ଆଡ଼କୁ ପ୍ରବାହିତ ହୁଏ, ଯାହା ଘୂରିଘୂରି ଏକ ଖଣ୍ଡିଆଭୂତର ଭଉଁରିର ରୂପ ନିଏ। ନିମ୍ନସ୍ତରର ଉଷ୍ମ ଆର୍ଦ୍ର ଜଳୀୟବାଷ୍ପ ଭରା ବାୟୁ ଏହି ଭଉଁରିରେ ଘୂରି ଘୂରି ଉପରକୁ ଉଠିବା ଦ୍ୱାରା ନିମ୍ନ ବାୟୁସ୍ତରରେ ଏକ ଊର୍ଦ୍ଧ୍ୱମୁଖୀ ସ୍ରୋତ କାର୍ଯ୍ୟକାରୀ ହୁଏ। ଏହା ସମୟକ୍ରମେ ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ଶୀତଳ ଶୁଷ୍କ ବାୟୁସ୍ତର ସହିତ ମିଳିତ ହେବା ଦ୍ୱାରା ଉପରର ବାୟୁ ଦ୍ରୁତଗତିରେ ତଳ ଦିଗରେ ଅପସାରିତ ହୁଏ। ଏହି ଦୁଇ ବିପରୀତ ଊର୍ଦ୍ଧ୍ୱ ଓ ନିମ୍ନମୁଖୀ ବାୟୁସ୍ରୋତ ମିଶିଯାଇ ବାୟୁସ୍ତରରେ ଏକ ବିଶୃଙ୍ଖଳା ସୃଷ୍ଟି କରେ, ଯାହାଫଳରେ ବାୟୁସ୍ତର ମଧ୍ୟରେ ଏକ ପରିଚଳନ ସ୍ରୋତ କାର୍ଯ୍ୟକାରୀ ହୁଏ। ଏହି ପରିଚଳନ ସ୍ରୋତ ଜରିଆରେ ନିମ୍ନ ବାୟୁମଣ୍ଡଳର ଜଳୀୟବାଷ୍ପ ଭରା ବାୟୁ ଊର୍ଦ୍ଧ୍ୱକୁ ଦ୍ରୁତ ସ୍ଥାନାନ୍ତରିତ ହୁଏ; ଏହା ପୁଣି ଶୀତଳ ହୁଏ ଏବଂ ଜମାଟ ବାନ୍ଧି କଳାହାଣ୍ଡିଆ ମେଘର ବାଦଲ ସୃଷ୍ଟି କରେ। ଏହା ସମୟକ୍ରମେ ଘଡ଼ଘଡ଼ି ଓ ବିଜୁଳି ସହିତ ବର୍ଷା ବର୍ଷିବାକୁ ଲାଗେ। ଏହିପରି ଭାବରେ ଏକ କାଳବୈଶାଖୀ ସୃଷ୍ଟି ହୁଏ। (କ୍ରମଶଃ…)

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର୍‌, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟ ପ୍ରଦେଶ
ମୋ : ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ବଜାରକୁ ଆସିଲାଣି ନକଲି ‘ଆଲମଣ୍ଡ’, କିଭଳି ସହଜ ଉପାୟରେ ଚିହ୍ନିବେ ଜାଣନ୍ତୁ?  

‘ଆଲମଣ୍ଡ’ ଫାଇବର, ପ୍ରୋଟିନ୍‌, ଆଇରନ୍‌, ମ୍ୟାଗ୍ନେସିୟମ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ମିଳିଥାଏ। ନିୟମିତ ଏହାର ସେବନ କରିବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ପାଇଥାଏ।...

ପ୍ରେମ ହେଉଛି ସବୁ ଦୁଃଖର କାରଣ, କାହିଁକି ଏଭଳି କହିଛନ୍ତି ଚାଣକ୍ୟ…

ମହାନ ରାଜନୀତିଜ୍ଞ ଏବଂ ଅସ୍ତ୍ରଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଉଲ୍ଲେଖ କରିଛନ୍ତି। ପ୍ରେମ ସମ୍ପର୍କକୁ ନେଇ...

ଏମିତି ଲୋକଙ୍କଠାରୁ ଦୂରରେ ରହିବାକୁ…

ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର...

କାହାକୁ ଗୁରୁ କରିବା ପୂର୍ବରୁ ଜାଣନ୍ତୁ ଚାଣକ୍ୟଙ୍କ ଏହି କଥା

ଚାଣକ୍ୟ ଜଣେ ପଣ୍ଡିତ ଏବଂ ମହାନ ଶିକ୍ଷକ ଥିଲେ। ସେ ତାଙ୍କ ଚାଣକ୍ୟ ନୀତିରେ ଅନେକ ବିଷୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଗୁରୁ ହିଁ...

ଅଖରୋଟ୍‌ ଖାଇଲେ ମିଳେ ଏସବୁ ଫାଇଦା

ଅଖରୋଟ୍‌ ଏପରି ଏକ ଶୁଖିଲା ଫଳ, ଯାହା ଏହାକୁ ଖାଇବା ଦ୍ୱାରା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଅନେକ ଲାଭ ମିଳିବ। ନିକଟରେ ହୋଇଥିବା ଏକ ଅଧ୍ୟୟନ...

କୃତ୍ରିମ ବୁଦ୍ଧିମତ୍ତା

ଯଦିଓ କୃତ୍ରିମ ବୁଦ୍ଧିମତ୍ତାର ବିକାଶର ପ୍ରାରମ୍ଭିକ ପର୍ଯ୍ୟାୟ ଆମେ ବର୍ତ୍ତମାନ ଆଣିଛୁ ତଥାପି କୃତ୍ରିମ ବୁଦ୍ଧିମତ୍ତା ମାନବ ସମାଜକୁ ଅନେକ ଉପାୟରେ ଉପକୃତ କରିବାର ସାମର୍ଥ୍ୟ...

ବ୍ରେନ୍‌ ଟ୍ୟୁମର: କାରଣ, ସତର୍କତା

ମନୁଷ୍ୟ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଲା ବ୍ରେନ୍‌ ବା ମସ୍ତିଷ୍କ। ଏହା ୨୮ଟି ଛୋଟବଡ଼ ହାଡ଼କୁ ନେଇ ଗଠିତ। ଖପୁରି ଭିତରେ ମସ୍ତିଷ୍କ ସୁରକ୍ଷିତ...

ଶେଯରେ ବସି ଖାଉଥିଲେ ନିହାତି ଜାଣନ୍ତୁ..

ପୂର୍ବେ, ଲୋକମାନେ ଭୂମି ଉପରେ ଚକା ପକାଇ ଭୋଜନ କରୁଥିଲେ। କିନ୍ତୁ ପରିବର୍ତ୍ତିତ ସମୟାନୁସାରେ ଏହାର ସ୍ଥାନ ଡାଇନିଂ ଟେବୁଲ୍‌ ନେଇଗଲା। ହେଲେ ଏବେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri