ମହାକାଳପଡ଼ା,୩ା୬(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ବଜ୍ରପାତ ସହ ପବନରେ ବହୁ ସ୍ଥାନରେ ଛାଳ ଘର ଛପର ଉଡ଼ି ଯାଇଥିବା ବେଳେ ଗଛ ଉପୁଡ଼ି ପଡିଛି। ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଯାଇଛି। ଫଳରେ ଯାତାୟାତ ପ୍ରଭାବିତ ହୋଇଛି। ମିଳିଥିବା ସୂଚନା ଅନୁସାରେ, ବ୍ଲକର ତିଖିରୀ ଗ୍ରାମର କେତେକ ସ୍ଥାନରେ ଗଛ ଉପୁଡ଼ିବା ସହ ଆଜବେଷ୍ଟସ, ଚାଳ ଛପର ଉଡିଯାଇଛି। କ୍ୟାବିନ୍ରେ ଥିବା ଦୋକାନ ପଡିଯାଇଛି। ସେହିପରି ମହାକାଳପଡା ପଞ୍ଚାୟତର ଶିଖର, ଚଡାଇଗୁଅଁା, ଜାଲକଣା ଆଦି ଗ୍ରାମରେ ବିଭିନ୍ନ ସ୍ଥାନରେ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡିବା ଯୋଗୁ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଛି। ଫଳରେ ଗୁଳିଗୁଳିରେ ଲୋକମାନେ ହନ୍ତସନ୍ତ ହେଉଛନ୍ତି। ଅପରପକ୍ଷରେ ଗଛ ଡାଳ ପଡ଼ି ବିଭିନ୍ନ ଅଞ୍ଚଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛ। କେଉଁଠି ବାଇକ୍ ଉପରେ ଗଛ ଡାଳ ପଡ଼ିଲାଣି ତ କେଉଁଠାରେ ୪ ଚକିଆ ଗାଡ଼ି ଉପରେ ଗଛ ଡାଳ ପଡ଼ିଛି। କୌଣସି ଲୋକଙ୍କ କ୍ଷତି ହୋଇ ନ ଥିବା କୁହାଯାଇଛି। ଏହି କାଳବୈଶାଖୀ ଏକ ଘଣ୍ଟା ଧରି ତାଣ୍ଡବ ରଚିଥିଲା। ମହାକାଳପଡ଼ା ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ରେସକ୍ୟୁ ଅପରେଶନ୍ ଚଳାଇ ସାଧାରଣ ଲୋକଙ୍କ ଯାତାୟାତ ପାଇଁ ବାଟ ସଫା କରୁଛନ୍ତି।