ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା

ଭୁବନେଶ୍ୱର,୧୧।୩: ଚାଷୀଙ୍କୁ ସୋମବାର କାଳିଆ କିସ୍ତି ଟଙ୍କା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରିଛନ୍ତି । ୯୩୩ କୋଟିରୁ ଅଧିକ ଟଙ୍କା ଡିବିଟି ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପ୍ରଦାନ କରାଯାଇଛି। ୧୮ ଲକ୍ଷରୁ ଅଧିକ ଭୂମିହୀନ କୃଷକଙ୍କ ପରିବାରକୁ ୩୬୦ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ୩୦ ଜିଲ୍ଲାରେ କାଳିଆ କେନ୍ଦ୍ରର ଶୁଭାରମ୍ଭ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ରାଜ୍ୟର ସମସ୍ତ ଜିଲାରେ ଚାଷୀ ଭାଇଭଉଣୀମାନଙ୍କୁ କୃଷି କାର୍ଯ୍ୟ ନିମନ୍ତେ ବୈଷୟିକ ସହାୟତା ପ୍ରଦାନ କରିବା ପାଇଁ କାଳିଆ କେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀ ଭାଇଭଉଣୀ ମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ପ୍ରତ୍ୟେକ ଚାଷୀ ପରିବାର ସମ୍ମାନ ସହ ବଞ୍ଚନ୍ତୁ, ସଶକ୍ତ ହୁଅନ୍ତୁ ଏବଂ ଓଡିଶାର ସମୃଦ୍ଧିରେ ଯୋଗଦାନ ରଖନ୍ତୁ ।
ମୁଖ୍ୟମନ୍ତ୍ରୀ ଏହି ଅବସରରେ କାଳିଆ ଯୋଜନାର ସମୟ ଅବଧି ଆଉ ୩ ବର୍ଷ ଅର୍ଥାତ ୨୦୨୬-୨୭ ପର୍ଯ୍ୟନ୍ତ ବୃଦ୍ଧି କରାଗଲା ବୋଲି ଘୋଷଣା କରିଥିଲେ । ଏଥିପାଇଁ ରାଜ୍ୟ ସରକାର ୬୦୩୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସେ କହିଥିଲେ ।
ସେ ଆହୁରି ମଧ୍ୟ କହିଥିଲେ, ଶିକ୍ଷା କେବଳ ଗୋଟିଏ ବ୍ୟକ୍ତିକୁ ନୁହେଁ, ପୁରା ପରିବାରକୁ, ସମାଜକୁ ସଶକ୍ତି କରିଥାଏ। ତେଣୁ କାଳିଆ ହିତାଧିକାରୀ ପିଲାମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଚଳିତ ଶିକ୍ଷା ବର୍ଷରୁ କାଳିଆ ଛାତ୍ରବୃତ୍ତି କାର୍ଯ୍ୟକ୍ରମରେ ପରିବର୍ତ୍ତନ ଆଣି ଏନ୍‌ଆଇଟି, ଆଇଆଇଟି, ଆଇଆଇଏମ୍‌, ଏଆଇଆଇଏମ୍‌ଏସ୍‌, ଆଇସିଏଆର୍‌ ପରି ସମ୍ମାନଜନକ ଶିକ୍ଷାନୁଷ୍ଠାନ ସହ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ଘରୋଇ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ପଢୁଥିବା ଚାଷୀ ପରିବାରର ପିଲାମାନଙ୍କୁ କାଳିଆ ଛାତ୍ରବୃତ୍ତି ପ୍ରଦାନ କରାଯିବ।
କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ କାଳିଆ ଯୋଜନା ଶ୍ରୀକ୍ଷେତ୍ର ପୁରୀରୁ ଆରମ୍ଭ ହୋଇଥିଲା। ଏହି ଯୋଜନା ଜାତୀୟସ୍ତରରେ ଉଚ୍ଚ ପ୍ରଶଂସିତ ହେବା ସହିତ ଓଡ଼ିଶାର ଚାଷୀ ଭାଇଭଉଣୀମାନଙ୍କ ପାଇଁ ସହାୟକ ହୋଇପାରିଛି। ରାଜ୍ୟରେ ଚାଷୀ ଭାଇମାନଙ୍କ ସ୍ଥିତିକୁ ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ ଏହାର ଆକାର ଓ ପରିମାଣକୁ କ୍ରମାଗତ ଭାବେ ସମ୍ପ୍ରସାରଣ କରୁଛନ୍ତି ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଥିଲେ, ୨୦୧୯ରେ ଏହି ଐତିହାସିକ କାଳିଆ ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ଇତିମଧ୍ୟରେ ୬୪ ଲକ୍ଷ ଚାଷୀ ଭାଇ ଏହି ଯୋଜନାରେ ସାମିଲ ହୋଇଛନ୍ତି । ଗତ ୫ ବର୍ଷ ମଧ୍ୟରେ ୧୩,୭୯୩ କୋଟି ଟଙ୍କାର ସହାୟତା ସେମାନଙ୍କ ବ୍ୟାଙ୍କ ଖାତାକୁ ଯାଇଛି। ଚାଷୀଙ୍କୁ ସଶକ୍ତ କରିବା ପାଇଁ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ବଡ ପଦକ୍ଷେପ ।
କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପି.କେ ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । କୃଷି ଓ କୃଷକ ସଶକ୍ତିରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢୀ ସ୍ବାଗତ ଭାଷଣ ଦେଇଥିଲେ। କୃଷି ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।
Share