କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ ଶନିବାର ଅନୁଷ୍ଠିତ ନିର୍ବାଚନରେ ସେ ଭି.କେ. ଧଳଙ୍କୁ ୩୬-୨୧ ଭୋଟ୍‌ରେ ହରାଇ ଦେଇଛନ୍ତି। ସରକାରଙ୍କ ଜାତୀୟ କ୍ରୀଡ଼ା ସଂହିତା(ଏନ୍‌ଏସ୍‌ସି) ଅନୁସାରେ ରଣଧୀର ସିଂ ଗତବର୍ଷ ଇସ୍ତଫା ପ୍ରଦାନ ପରେ ଏହି ପଦବୀ ଖାଲି ପଡ଼ିଥିଲା। ସେହିଦିନଠାରୁ କଳିକେଶ ଏନ୍‌ଆରଏଆଇର ଦୈନନ୍ଦିନ ବ୍ୟାପାର ବୁଝାଶୁଝା କରିଆସୁଥିଲେ। ଜାତୀୟ କ୍ରୀଡ଼ା ସଂହିତା ଅନୁସାରେ କୌଣସି ଜାତୀୟ କ୍ରୀଡ଼ା ମହାସଂଘର ମୁଖ୍ୟ ପଦବୀ ଜଣେ ୧୨ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ। ଗତବର୍ଷ କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଏନେଇ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା। ରଣଧୀର ୨୦୧୦ ଡିସେମ୍ବର ୨୯ରୁ ୨୦୨୨ ଡିସେମ୍ବର ପର୍ଯ୍ୟନ୍ତ ସଭାପତି ପଦବୀରେ କାର୍ଯ୍ୟ କରିସାରିଥିଲେ। ତାଙ୍କର ୧୨ ବର୍ଷ ପୂରଣ ହୋଇଯାଇଥିଲା। ଏବିଷୟରେ ମନ୍ତ୍ରଣାଳୟ ୨୦୨୩ରେ ଜଣାଇ ଦେଇଥିଲା। ଗତବର୍ଷ ଏପ୍ରିଲରେ ରଣଧୀର ତାଙ୍କ ପଦବୀରୁ ଓହରିଯିବା ପରେ ସିନିୟର ଉପସଭାପତି କଳିକେଶ ମହାସଂଘର କାମଚଳା ମୁଖ୍ୟ ଭାବେ କାର୍ଯ୍ୟକରି ଆସୁଥିଲେ। କଳିକେଶଙ୍କ ସମୟରେ ଭାରତ ପ୍ୟାରିସ ଅଲିମ୍ପିକ୍ସରେ ୩ ବ୍ରୋଞ୍ଜ ପଦକ ହାସଲ କରିପାରିଛି। ୨୦୧୬ ରିଓ ଅଲିମ୍ପିକ୍ସ ଏବଂ ୨୦୨୦ ଟୋକିଓ ଗେମ୍ସରେ ଭାରତୀୟ ଶୁଟରଭାବେ ପଦକ ଜିତିବାରେ ବିଫଳ ହୋଇଥିଲେ। କିଳିକେଶ ୨୦୨୫ରେ ଏନ୍‌ଆରଏଆଇର ପରବର୍ତ୍ତୀ ସାଧାରଣ ପରିଷଦ ବୈଠକ ପର୍ଯ୍ୟନ୍ତ ସଭାପତି ପଦବୀରେ ରହିବେ।

Share