Categories: ଖେଳ

ସୁପର କପ୍‌ ପାଇଁ କଳିଙ୍ଗ ପ୍ରସ୍ତୁତ

ଭୁବନେଶ୍ୱର, ୮।୧(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ହେବାକୁଯାଉଛି ଆଉ ଏକ ସମ୍ମାନ୍‌ଜନକ ଫୁଟ୍‌ବଲ ଟୁର୍ନାମେଣ୍ଟ। ଏହା ଓଡ଼ିଶାରେ ହେବାକୁ ଯାଉଥିବାରୁ ଏହି ପ୍ରତିଯୋଗିତାର ନାମ କଳିଙ୍ଗ ସୁପର କପ୍‌ ରଖା ଯାଇଛି। ଏହି ଟୁର୍ନାମେଣ୍ଟ ଚଳିତ ମାସ ୯ରୁ ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ସମସ୍ତ ମ୍ୟାଚ୍‌ ଭୁବନେଶ୍ୱରର କଳିଙ୍ଗ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଅନୁଷ୍ଠିତ ହେବ। ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିବେ। ଏହା ମଧ୍ୟରେ ଇଣ୍ଡିଆନ ସୁପର ଲିଗ୍‌ର ୧୨ ଓ ଆଇ-ଲିଗ୍‌ର ୪ ଦଳ ସାମିଲ। ଅଂଶଗ୍ରହଣକାରୀ ଦଳଗୁଡ଼ିକୁ ୪ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇ ଟୁର୍ନାମେଣ୍ଟ ଖେଳାଯିବ। ”ଦେଶର ଶ୍ରେଷ୍ଠ ଫୁଟ୍‌ବଲ କ୍ଲବଗୁଡ଼ିକୁ ନେଇ ଆମେ ଆଗାମୀ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଯାଉଛୁ। ଓଡ଼ିଶାରେ ଫୁଟ୍‌ବଲର ଲୋକପ୍ରିୟତା ବଢ଼ିବାରେ ଲାଗିଛି। କ୍ରମାଗତ ଫୁଟ୍‌ବଲ ଇଭେଣ୍ଟଗୁଡ଼ିକ ଆୟୋଜନ ହେବାଦ୍ୱାରା ଆମ ଇକୋ ସିଷ୍ଟମ ଶକ୍ତିଶାଳୀ ହୋଇଛି। ବର୍ତ୍ତମାନ ଆମ ନିକଟରେ ୫ ଫିଫା ଷ୍ଟାଣ୍ଡାର୍ଡର ପିଚ୍‌ ସହ ଶ୍ରେଷ୍ଠ କ୍ରୀଡ଼ା ଭିତ୍ତିଭୂମି ଓ ସୁବିଧା ସୁଯୋଗ ଉପଲବ୍ଧ। ସର୍ବଭାରତୀୟ ଫୁଟ୍‌ବଲ ଫେଡେରେଶନ ଓ ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା ସହଯୋଗରେ ହେବାକୁ ଯାଉଥିବା ଟୁର୍ନାମେଣ୍ଟରେ ଭାଗନେବାକୁ ଥିବା ଦେଶର କ୍ଲବଗୁଡ଼ିକ ଓ ଦର୍ଶକମାନେ ସ୍ମରଣୀୟ ଅନୁଭୂତି ନେଇ ଫେରିବା ଆଶା“ ବୋଲି କ୍ରୀଡ଼ା ସଚିବ ଆର. ଭିନିଲ କ୍ରିଷ୍ଣା ପ୍ରକାଶ କରିଛନ୍ତି।
ପୂର୍ବ ସଂସ୍କରଣଗୁଡ଼ିକର ଫର୍ମାଟ୍‌ ପରି ଏଥର ମଧ୍ୟ କଳିଙ୍ଗ ସୁପର କପ୍‌ ଆୟୋଜିତ ହେବ। ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ଦଳ ସେମିଫାଇନାଲରେ ପ୍ରବେଶ କରିବ। ପ୍ରତିଯୋଗିତାର ଚାମ୍ପିୟନ ଦଳ ୨୦୨୪-୨୫ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌-୨ ପାଇଁ ଯୋଗ୍ୟତା ଅର୍ଜନ କରିବ। ଓଡ଼ିଶା ଏଫ୍‌ସି ଡିଫେଣ୍ଡିଂ ଚାମ୍ପିୟନଭାବେ କଳିଙ୍ଗ ସୁପର କପ୍‌ ଖେଳିବ। କୋଝିକୋଡ଼େରେ ଅନୁଷ୍ଠିତ ୨୦୨୩ ସଂସ୍କରଣର ଫାଇନାଲରେ ଏହି ଦଳ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଥିଲା।
ଫୁଟ୍‌ବଲ ସହ ଓଡ଼ିଶାର ସମ୍ପର୍କ ବହୁ ପୁରୁଣା। ଭାରତର ଅନ୍ୟତମ ସର୍ବପୁରାତନ ଅଲ୍‌-ଇଣ୍ଡିଆ ଫୁଟ୍‌ବଲ ଟୁର୍ନାମେଣ୍ଟ କଳିଙ୍ଗ କପ୍‌ କଟକର ବାରବାଟୀ ଷ୍ଟାଡିୟମରେ ଆୟୋଜନ ହୋଇଆସୁଛି। ଓଡ଼ିଶାର କିମ୍ବଦନ୍ତୀ ରାଷ୍ଟ୍ରନୀତିଜ୍ଞ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୯୬୨ରେ ଏହାର ଶୁଭାରମ୍ଭ କରିଥିଲେ। ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ଏହା ପ୍ରତିବର୍ଷ ଆୟୋଜନ ହୋଇଆସୁଛି। ଏଥିରେ ଦେଶର ଅଗ୍ରଣୀ ଫୁଟ୍‌ବଲ କ୍ଲବଗୁଡ଼ିକ ଅଂଶଗ୍ରହଣ କରିଥାନ୍ତି। ଏହା ଦେଶର ଏକ ସମ୍ମାନ୍‌ଜନକ ଫୁଟ୍‌ବଲ ଇଭେଣ୍ଟର ମାନ୍ୟତା ପାଇଛି। ଏହି ଟୁର୍ନାମେଣ୍ଟ ଅନେକ ନୂଆ ପ୍ରତିଭା ସୃଷ୍ଟି କରିବାରେ ମଧ୍ୟ ସହାୟକ ହୋଇଥାଏ।

Share