Categories: ବାଣିଜ୍ୟ

ଫେବୃଆରୀ ୯ରୁ କଳିଙ୍ଗ ମ୍ୟାରିଟାଇମ ଏକ୍ସପୋ

ନୂଆଦିଲ୍ଲୀ,୧୨।୧: ଓଡ଼ିଶା ଇଣ୍ଡଷ୍ଟ୍ରିଜ ଆସୋସିଏସନ(ଓଆଇଏ) ଓ ନ୍ୟାଭି ଫାଉଣ୍ଡେଶନ ଓଡ଼ିଶା ଚାପ୍ଟର (ଏନ୍‌ଏଫ୍‌ଓସି)ର ମିଳିତ ସହଯୋଗରେ ଏକ ୫ଦିନିଆ ପ୍ରଦର୍ଶନୀ ‘କଳିଙ୍ଗ ମ୍ୟାରିଟାଇମ ଏକ୍ସପୋ’ କଟକ ବାଲିଯାତ୍ରା ଉପର ପଡ଼ିଆରେ ହେବାକୁ ଯାଉଛି। ଉକ୍ତ ଏକ୍ସପୋ’ରେ ୫୦୦ରୁ ଅଧିକ ଏମ୍‌୍‌ଏସ୍‌ଏମ୍‌ଇ ଉଦ୍ୟୋଗୀମାନଙ୍କର ଷ୍ଟଲ ପଡିବ। ଏତଦ୍‌ବ୍ୟତୀତ ଏହି ଏକ୍ସପୋକୁ ବୁଲିବାକୁ ଆସୁଥିବା ଲୋକଙ୍କ ଆମୋଦପ୍ରମୋଦ ପାଇଁ ଫୁଡ୍‌ ଜୋନ୍‌, ଗେମ୍‌ ଜୋନ୍‌ ଏବଂ ପ୍ରତ୍ୟେକ ସନ୍ଧ୍ୟାରେ ସେଲିବ୍ରିଟିମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ସ୍ଥିର କରାଯାଇଛି। ଏ ନେଇ ଗୁରୁବାର ଏନ୍‌ଏଫ୍‌ଓସିର ଭାଇସ୍‌ ଆଡ୍‌ମିରାଲ୍‌ ଆର୍‌.କେ.ପଟ୍ଟନାୟକ, ଭାଇସ ପ୍ରେସିଡେଣ୍ଟ କମାଣ୍ଡର ଲଳିତ କୁମାର ଅଗ୍ରଓ୍ବାଲ ଓ ଅନ୍ୟମାନଙ୍କ ଉପସ୍ଥିତିରେ ଏକ ଖବରଦାତା ସମ୍ମିଳନୀ ଓ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଏପରିକି ଏହି ୫ଦିନିଆ ଏକ୍ସପୋରେ କଟକ ବାଲିଯାତ୍ରା ତଳ ପଡିଆର ନଦୀକୂଳଠାରେ ନ୍ୟାଭି ଫାଉଣ୍ଡେଶନ ପକ୍ଷରୁ ବୋଟିଂ, ରେସକ୍ୟୁ ମିଶନ, ସ୍କାଏ ଡ୍ରାଇଭିଂ, ଏୟାର ଶୋ’ଇତ୍ୟାଦି ପ୍ରଦର୍ଶନ କରାଯିବ ବୋଲି ଏନ୍‌ଏଫ୍‌ଓସି ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି।

ଅପରପକ୍ଷରେ ଏମ୍‌ଏସ୍‌ଏମ୍‌ଇ ସେକ୍ଟରରେ ପାଦ ଥାପୁଥିବା ନବୀନ ଉଦ୍ୟୋଗୀମାନଙ୍କୁ ସାହସ ଯୋଗାଇଦେବା ପାଇଁ ଓଆଇଏ ସବୁବେଳେ ଉଦ୍ୟମ ଜାରି ରଖିଛି। ନବୀନ ଉଦ୍ୟୋଗପତିମାନେ କିଭଳି ନିଜ ନିଜ କ୍ଷେତ୍ର (ସେକ୍ଟର)ର ଉପସ୍ଥିତିକୁ ବଳବତ୍ତର ରଖିପାରିବେ, ସେଥିପ୍ରତି ୧୯୮୬ରୁ ଓଆଇଏ ସେମାନଙ୍କୁ ଉତ୍ସାହିତ କରିଆସୁଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସେକ୍ଟର ଉପରେ ପ୍ରଦର୍ଶନୀ ଓ କର୍ମଶାଳାମାନ ଓଆଇଏ ଆୟୋଜନ କରିଆସୁଛି।

୨୦୨୦ରେ ଓଆଇଏ କଟକ ବାଲିଯାତ୍ରା ପଡିଆଠାରେ ପ୍ରତିରକ୍ଷା ଯନ୍ତ୍ରପାତି ନିର୍ମାତା ସଂକ୍ରାନ୍ତୀୟ କର୍ମଶାଳା ଆୟୋଜନ କରି ସଫଳତା ସାଉଁଟି ଥିବାବେଳେ ଚଳିତ ବର୍ଷ ନୌବାଣିଜ୍ୟ ଯନ୍ତ୍ରପାତି ନିର୍ମାଣ ଓ ତା’ର ବ୍ୟବହାର ସଂକ୍ରାନ୍ତରେ ଏକ ପ୍ରଦର୍ଶନୀ ଓ ପ୍ରଶିକ୍ଷଣ ଶିବିର ଆୟୋଜନ କରିବାକୁ ଯାଉଛି। ବିଶେଷକରି ନ୍ୟାଭି ଫାଉଣ୍ଡେଶନ ପକ୍ଷରୁ ନ୍ୟାଭି ବ୍ୟାଣ୍ଡ ଓ ନ୍ୟାଭିରେ ବ୍ୟବହୃତ ଅସ୍ତ୍ରଶସ୍ତ୍ରର ପ୍ରଦର୍ଶନ କରାଯିବ। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁମତିକ୍ରମେ ଉକ୍ତ ପ୍ରଦର୍ଶନୀ ଓ ପ୍ରଶିକ୍ଷଣ ଶିବିର ୨୦୨୪ ଫେବୃଆରୀ ୯ରୁ ୧୩ ପର୍ଯ୍ୟ୍ୟନ୍ତ କଟକର ବାଲିଯାତ୍ରା ପଡ଼ିଆରେ ଆୟୋଜନ ହେବାକୁ ଯାଉଛି। ସେହିଭଳି ପ୍ରଦର୍ଶନୀ ପାଇଁ ଆବଶ୍ୟକ ପ୍ରଶାସନିକ ମଞ୍ଜୁରିକୁ ଉଭୟ ସଂସ୍ଥାର ଅଧିକାରୀମାନେ ସ୍ଥାନୀୟ ପ୍ରଶାସନର ସଯଯୋଗରେ ଆଣିବେ ବୋଲି ଜଣାପଡିଛି।

 

Share