ଗାଁରେ ବୁଲୁଛି କଲରାପତରିଆ

ପାପଡ଼ାହାଣ୍ଡି/ମଇଦଲପୁର,୯।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଗାଦବାକତରା ଅଞ୍ଚଳରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି। ଦୁଇଦିନ ମଧ୍ୟରେ ଗ୍ରାମର ତିନି ଜଣଙ୍କ ଗୁହାଳରୁ ତିନୋଟି ବାଛୁରୀ ଖାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଏବେ ଗ୍ରାମରେ ଭୟର ବାତାବରଣ। ସନ୍ଧ୍ୟା ହେଲେ ଘରର ତାଟିକବାଟ ଦେଇ ଲୋକେ ରହୁଛନ୍ତି। ଖବର ପାଇ ମଇଦଲପୁର ବନ ବିଭାଗର ଏକ ଟିମ୍‌ ସୋମବାର ସେଠାରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି।
ଗ୍ରାମର ନରହରି ହରିଜନଙ୍କ ବାଛୁରୀ ୬ ତାରିଖ ରାତିରେ ନିଖୋଜ ହୋଇଯାଇଥିଲା। ଚାରିଆଡ଼େ ଖୋଜାଖୋଜି କରିବା ପରେ ବାଛୁରୀର କିଛି ଦେହାବଶେଷ ପାଇଥିଲେ। ଲୋକେ ବାଘ ସନ୍ଦେହକରି ବନ ବିଭାଗକୁ ଖବର ଦେଇଥିଲେ। ରବିବାର ରାତି ୧୦.୩୦ଟାରେ ହରିହର ସାହୁ ଓ ପୂର୍ଣ୍ଣ ନାୟକ ଏକ ଜରୁରୀ କାମରେ ତୁମ୍ଭର୍ଲା ଯାଇ ଫେରିବା ସମୟରେ ଗ୍ରାମ ନିକଟ ପୋଲ ପାଖରେ କଲରାପତରିଆ ବାଘ ବସିଥିବା ଦେଖିଥିଲେ। ଦୁହେଁ ଗ୍ରାମବାସୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ସମସ୍ତେ ଏକାଠି ହୋଇ ସେଠାରେ ପାଟି କରିବାରୁ ବାଘଟି ଜଙ୍ଗଲକୁ ଚାଲିଯାଇଥିଲା ବୋଲି ଗ୍ରାମବାସୀ କହିଛନ୍ତି। ଉକ୍ତ ରାତିରେ ଦୁର୍ଯ୍ୟୋଧନ ହରିଜନ ଓ ଲାଇବାନ ହରିଜନଙ୍କ ଗୋଟିଏ ଲେଖାଏ ବାଛୁରୀ ପୁଣି ଗୁହାଳରୁ ଉଭାନ ହୋଇଯାଇଥିଲା। ଖୋଜାଖୋଜି କରିବା ପରେ ସେମାନଙ୍କ ମୁଣ୍ଡ ଓ ଗୋଡ଼ ମିଳିଥିଲା। ଖବରପାଇ ଡାବୁଗାଁ ରେଞ୍ଜର ସୁମତି ଗମାଙ୍ଗ, ଫରେଷ୍ଟର ଉମାକାନ୍ତ ପଟ୍ଟନାୟକ ଓ କର୍ମଚାରୀ ଗାଁରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ବାଛୁରୀଗୁଡ଼ିକର ଦେହାବଶେଷକୁ ପୋତାଯାଇଛି। ଗାଁର ଏକ ଜମିରେ ବାଘର ପାଦଚି଼ହ୍ନ ଦେଖିବାକୁ ମିଳିଛି। ସୋମବାର ସନ୍ଧ୍ୟାରେ ମଧ୍ୟ ପାଣି ଟାଙ୍କି ପାଖ ଆମ୍ବ ଜଙ୍ଗଲରେ ବାଘଟି ଦେଖିବାକୁ ମିଳିଛି। ଗ୍ରାମବାସୀ ଠେଙ୍ଗା ବାଡ଼ି ଧରି ଜଗି ବସିଛନ୍ତି। ଗାଁରେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ ଚାଲିଛି। ଲୋକେ ଆତଙ୍କିତ ନ ହେବାକୁ ଫରେଷ୍ଟର ଉମାକାନ୍ତ ପଟ୍ଟନାୟକ କହିଛନ୍ତି। ଗାଁକୁ ଅଧିକ ସଂଖ୍ୟକ କର୍ମଚାରୀ ପଠାଯିବ ବୋଲି ଡିଏଫ୍‌ଓ ମକର ଧନଜୀ ରାଓସୋ କହିଛନ୍ତି।

Share