ବଲାଙ୍ଗୀର ଅଫିସ,୨୫।୯: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଘୁନସର ପଞ୍ଚାୟତ ସାନବାଞ୍ଜିପାଲି ଗ୍ରାମର ପ୍ରଥମ ମାଟ୍ରିକ୍ୟୁଲେଟ୍ ଓ ଗ୍ରାଜୁଏଟ୍ ମେଧାବୀ ଆଦିବାସୀ ଯୁବକ କମଳ ବରିହା (୩୦)ଙ୍କ ସଫଳ ଅସ୍ତ୍ରୋପଚାର ପରେ ଘରକୁ ଫେରିଛନ୍ତି। ଏହା ପରେ ଏହି ଗରିବ ଆଦିବାସୀ ପରିବାର ଓ ଗଁାରେ ଖୁସିର ଲହରି ଖେଳିଯାଇଛି।
୨୦୨୧ ଅକ୍ଟୋବରରେ କମଳ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଜ୍ୱର ହେବା ସହ ପେଟ ଫୁଲି ଯାଇଥିଲା। ତାଙ୍କ ମଳଦ୍ୱାର ହଠାତ୍ ବନ୍ଦ ହୋଇଯିବାରୁ ଅସ୍ତ୍ରୋପଚାର ପାଇଁ ତାଙ୍କୁ ବୁର୍ଲା ଭିମସାର ନିଆଯାଇଥିଲା। ସେଠାରେ ତିନିଥର ଅସ୍ତ୍ରୋପଚାର କରାଯାଇ ପେଟରେ ବିକଳ୍ପ ପାଇପ ଲଗାଯାଇଥିଲା। ଏହାସତ୍ତ୍ୱେ କମଳ ସୁସ୍ଥ ହୋଇ ନ ଥିଲେ। ତାଙ୍କ ଶରୀର କ୍ଷୀଣ ହୋଇଯାଇଥିଲା। ସେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ। କମଳଙ୍କ ଅବସ୍ଥା ଦେଖି ନିହାତି ଗରିବ ତାଙ୍କ ମାତାପିତା ଭାଙ୍ଗି ପଡିଥିଲେ। ଧାର ଉଧାର କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସାରିଥିଲେ। ବଡ ହସ୍ପିଟାଲରେ ଚତୁର୍ଥ ଥର ଅସ୍ତ୍ରୋପଚାର ନକଲେ କମଳଙ୍କ ଅବସ୍ଥା ସାଂଘାତିକ ହେବା ଭୟ ଥିଲେ ମଧ୍ୟ ଟଙ୍କା ଅଭାବରୁ କିଛି ବି କରିପାରୁ ନ ଥିଲେ। ଏନେଇ ଧରିତ୍ରୀରେ ଗତ ଏପ୍ରିଲ ୨୦ ତାରିଖରେ ତିନିଥର ଅସ୍ତ୍ରୋପଚାର ପରେ ବି କମଳ ଅସୁସ୍ଥ ଶୀର୍ଷକ ଖବର ପରିବେଷଣ ପରେ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣା ଏଥିରେ ହସ୍ତକ୍ଷେପ କରିଥିଲେ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ କମଳଙ୍କ ଉଚ୍ଚତର ଚିକିତ୍ସା ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଜିଲା ସଂଯୋଜକ ସୁବ୍ରତ କୁମାର ସାହୁ ଗୁରୁତର ଅସୁସ୍ଥ କମଳଙ୍କୁ ବିଶାଖାପାଟଣାଠାରେ ଥିବା ମେଡିକଭର ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା କରିଥିଲେ। ସେଠାରେ ଏକ ବିଶେଷଜ୍ଞ ଡାକ୍ତର ଦଳ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ମଳଦ୍ୱାର ଅସ୍ତ୍ରୋପଚାର କରିଥିଲେ। ପ୍ରାୟ ୨୦ ଦିନର ଚିକିତ୍ସା ପରେ କମଳ ସୁସ୍ଥ ହୋଇ ଏବେ ଘରକୁ ଫେରିଛନ୍ତି। ତାଙ୍କ ପେଟରୁ ପାଇପ ହଟାଯାଇଛି ଓ ପୂର୍ବପରି ତାଙ୍କ ମଳଦ୍ୱାର କାର୍ଯ୍ୟ କରୁଛି। ସୁସ୍ଥ ହୋଇ ଘରକୁ ଫେରିବା ପରେ କମଳଙ୍କ ପରିବାର ସହ ଗଁା ଲୋକେ ଭାବାବେଗରେ ଅଧୀର ହୋଇପଡିଥିଲେ। ସମସ୍ତଙ୍କ ସହଯୋଗରେ କମଳ ନୂଆ ଜୀବନ ପାଇଲେ ବୋଲି କହିଛନ୍ତି। ଏଥିସକାଶେ ବରିହା ପରିବାର ଜିଲାପାଳ ରାଣା, ମେଡିକଭର ହସ୍ପିଟାଲର ଡାକ୍ତରୀ ଦଳ ଏବଂ ଧରିତ୍ରୀକୁ ଗଭୀର କୃତଜ୍ଞତା ଜଣାଇଛନ୍ତି। କମଳଙ୍କ ଚିକିତ୍ସା ପାଇଁ ଆନୁସଙ୍ଗିକ ସହାୟତା କରିଥିବା ଖପ୍ରାଖୋଲର ସ୍ବେଚ୍ଛାସେବୀ ବିଜୟ ମଲ୍ଲିକ, ରାଜେଶ ଝାଙ୍କର ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଜିଲା ସଂଯୋଜକ ସୁବ୍ରତ ସାହୁଙ୍କୁ ମଧ୍ୟ ବରିହା ପରିବାର ଧନ୍ୟବାଦ ଜଣାଇଛନ୍ତି। ସୁସ୍ଥ ହେଲା ପରେ ଚାକିରି କରି ନିଜ ବୃଦ୍ଧ ମାତାପିତା, ଭିନ୍ନକ୍ଷମ ଭାଇ ଓ ଭଉଣୀଙ୍କ ଦୁଃଖ ଲାଘବ କରିବେ ବୋଲି କମଳ କହିଛନ୍ତି।