Categories: ଜାତୀୟ

ରାଜନୀତିରେ ବାଧା ସାଜିଲେ ଛାଡ଼ି ଦେବି ଅଭିନୟ – କମଲ ହାସନ

କୋଏମ୍ବାଟୁର,୪ା୪- ରାଜନୈତିକ ଅଭିଯାନରେ ବାଧା ସୃଷ୍ଟି ହେଲେ ଛାଡ଼ି ଦେବି ଅଭିନୟ। ଏଭଳି ମନ୍ତବ୍ୟ ଦେଇଛନ୍ତି ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନ। ଏକ ଖବରଦାତା ସମ୍ମିଳନୀରେ ଏମ୍‌ଏନ୍‌ଏମ୍‌ ମୁଖ୍ୟ କହିଛନ୍ତି, ସିନେମା ମୋ ପେଶା। ଏବେ ମୁଁ ଅଧିକରୁ ଅଧିକ ଟଙ୍କା ରୋଜଗାର କରିବାକୁ ଚାହେଁ। କାରଣ ମୁଁ କାହା ଉପରେ ନିର୍ଭରଶୀଳ ହେବାକୁ ଚାହେଁ ନାହିଁ। ଏଣୁ ମୁଁ ମୋ ଅଭିନୟ ଜାରି ରଖିବି। କିନ୍ତୁ ଯଦି ଏହା ମୋ ରାଜନୈତିକ ଅଭିଯାନକୁ ବାଧା ଦିଏ, ତେବେ ମୁଁ ଏହା ଛାଡ଼ି ଦେବି।

ରାଜନୀତିକୁ ଆସିବାରେ ବିଳମ୍ବ କରିଥିବାରୁ ସେ ଦୁଃଖିତ। ନିଜ ବାକି ଜୀବନ ଜନ ସାଧାରଣଙ୍କ ସେବା କରିବାକୁ ଚାହାନ୍ତି ବୋଲି କମଲ କହିଛନ୍ତି। ଉଲ୍ଲେଖଯୋଗ୍ୟ, ତାମିଲନାଡୁ ବିଧାନସଭା ନିର୍ବାଚନରେ କୋଏମ୍ବାଟୁରର ଦକ୍ଷିଣ ଆସନରେ ଛିଡ଼ା ହୋଇଛନ୍ତି ଦକ୍ଷିଣ ଭାରତୀୟ ଫିଲ୍ମର ଏହି ପ୍ରଖ୍ୟାତ ଅଭିନେତା। ଏହି ଆସନରେ ଆସନ୍ତା ୬ ତାରିଖରେ ନିର୍ବାଚନ ହେବ।

ତାଙ୍କ ପେଶାକୁ ସମାଲୋଚନା କରାଯାଉଥିବାରୁ କମଲ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌ଜିଆର ବିଧାୟକ ଭାବେ ନିର୍ବାଚିତ ହେବା ପରେ ମଧ୍ୟ ଫିଲ୍ମରେ କାମ କରିଥିଲେ। କାରଣ ତାଙ୍କ ରାଜନୈତିକ କ୍ୟାରିୟର ପାଇଁ ଦରକାର ଥିଲା ଟଙ୍କା। ମୋତେ ମଧ୍ୟ ଟଙ୍କା ଦରକାର। ଏଥି ଲାଗି ମୁଁ ଅଭିନୟ କରୁଛି। ଯଦି ସମ୍ଭବ ମୁଁ ଭବିଷ୍ୟରେ ଫିଲ୍ମ ପିଛା ଅଧିକ ଟଙ୍କା ନେବି। ତାହାକୁ ଜନ ସାଧାରଣ ପାଇଁ ଖର୍ଚ୍ଚ କରିବି।

Share