ଚେନ୍ନାଇ,୨୭ ।୨: ନିର୍ବାଚନ କମିଶନଙ୍କ ଦ୍ୱାରା ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଶୁକ୍ରବାର ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ଆଉ ଶନିବାର ସବୁଠି ଦେଖିବାକୁ ମିଳିଲାଣି ନିର୍ବାଚନୀ ସଜବାଜ । ସବୁ ରାଜନୈତିକ ଦଳ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ନିଜ ନିଜର ଯୋଜନା ପ୍ରସ୍ତୁତିରେ ଲାଗି ପଡିଲେଣି । ଗୋଟିଏ ପଟେ ଏଥର ତାମିଲନାଡୁରେ ଆମ୍ମାଙ୍କ ବିନା ନିର୍ବାଚନ ହେବାକୁ ଯାଉଥିବା ବେଳେ ଅନ୍ୟପଟେ ସୁପରଷ୍ଟାର ରଜନୀକାନ୍ତ ରାଜନୀତିରୁ ଦୂରେଇ ଯିବା ତାଙ୍କ ପ୍ରଶଂସକଙ୍କୁ ସାମାନ୍ୟ ନିରାଶ କରିଛି । ହେଲେ ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନ କିନ୍ତୁ ନିର୍ବାଚନ ପ୍ରଚାର ଲାଗି ସଜବାଜ ହେଲେଣି । ମକ୍କଲ ନିଧି ମୈୟମର ମୁଖ୍ୟ ହାସନ କହିଛନ୍ତି ମାର୍ଚ୍ଚ ୩ରୁ ସେ ନିର୍ବାଚନ ପ୍ରଚାରରେ ବାହାରିବେ । ତେବେ ମେଣ୍ଟକୁ ନେଇ ସେ କହିଛନ୍ତି ଏହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ମାର୍ଚ୍ଚ ୭ରେ ତାଙ୍କ ଦଳ ପ୍ରାର୍ଥୀଙ୍କ ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା କରିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ଏହା ଏପ୍ରିଲ ୬ରେ ଅନୁଷ୍ଠିତ ହେବ ଓ ଫଳାଫଳ ମେ’୨ରେ ଘୋଷଣା କରାଯିବ ।