ନୂଆଦିଲ୍ଲୀ,୨୮।୯: କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ରେସ୍ରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ନାମକୁ ନେଇ ଚର୍ଚ୍ଚା ହୋଇଥିଲା। ଗତ କିଛି ଦିନ ତଳେ ତାଙ୍କ ଦିଲ୍ଲୀ ଗସ୍ତ ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଥିଲା। ତେବେ କମଲନାଥ ଏହି ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସେ କହିଛନ୍ତି, ଅଧ୍ୟକ୍ଷ ପଦ ପାଇଁ ଆଗ୍ରହୀ ନୁହେଁ। କି ମୁଁ ମଧ୍ୟପ୍ରଦେଶ ଛାଡ଼ିବି ନାହିଁ। ମୁଁ ନବରାତ୍ରୀ ପାଇଁ ଦିଲ୍ଲୀ ଆସିଛି। ଏଥିସହ ସେ କହିଛନ୍ତି, ଅକ୍ଷ୍ୟକ୍ଷ ନିର୍ବାଚନ ପାଇଁ ମୁଁ ନାମାଙ୍କନ ପତ୍ର ଦାଖଲ କରିନାହିଁ କି ଗେହଲଟଙ୍କ ସହ କୌଣସି କଥା ହୋଇନାହିଁ। ସୂଚନାଯୋଗ୍ୟ, କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କମଲନାଥଙ୍କୁ ଦିଲ୍ଲୀ ଡକାଇଥିଲେ। ଏହାପରେ ସୋନିଆଙ୍କ ଦିଲ୍ଲୀ ୧୦ ଜନପଥରେ ହୋଇଥିବା ବୈଠକରେ ସୋନିଆ କମଲନାଥଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ। ହେଲେ ସେ ମଧ୍ୟପ୍ରଦେଶ ଛାଡିବେ ନାହିଁ ବୋଲି କମଲନାଥ ସୋନିଆଙ୍କୁ କହିଥିଲେ। ଅନ୍ୟପଟେ ରାଜସ୍ଥାନ ଘଟଣା ସମ୍ପର୍କରେ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ଏନେଇ କଥାବାର୍ତ୍ତା ହୋଇଛି। ରାଜସ୍ଥାନର ୪ଜଣ ବିଧାୟକ ସଠିକ ଆଚରଣ କରିନାହାଁନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ ବୋଲି କମଲନାଥ କହିଛନ୍ତି।