ଭୋପାଳ,୨୨।୧ : ଆଠ ମାସ ପରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ରାଜ୍ୟରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇବାରେ ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଏବେ ରାଜ୍ୟ ପ୍ରଶାସନକୁ ଧମକାଇବା ଭଳି ବିବୃତ୍ତି ଦେଉଥିବା ନେଇ ଚର୍ଚ୍ଚା ହେଉଛି। ସେ କହିଛନ୍ତି, ଅଧିକାରୀ ଏବଂ ପୋଲିସଙ୍କୁ କହିଦିଅ ଆଠ ମାସ ପରେ ତୁମର ହିସାବ ନିଆଯିବ।
ସମସ୍ତ କର୍ମଚାରୀ ଏବଂ ପୋଲିସ କାନ ଖୋଲାକରି ଏହା ଶୁଣି ନିଅନ୍ତୁ। ଏହାପୂର୍ବରୁ ଟିକମଗଡର କାର୍ଯ୍ୟକ୍ରମରେ କମଲ ନାଥ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଉପରେ ମନ୍ତବ୍ୟ ଦେଇଥିଲେ। କମଲ ନାଥ କହିଥିଲେ ସିନ୍ଧିଆ ଭାଜପାରେ ରହିଥିଲେ ମଧ୍ୟ ଗତ ବର୍ଷ ଗ୍ବାଲିଅର ଏବଂ ନିକଟସ୍ଥ ମୋରେନାରେ ମେୟର ନିର୍ବାଚନରେ କାହିଁକି ଦଳ ହାରିଗଲା? ମୋ ପାଇଁ କୌଣସିର ସିନ୍ଧିଆଙ୍କର ଆବଶ୍ୟକତା ନାହିଁ।
ଭାଜପାର ଲୋକମାନେ ମୋଠାରୁ ୧୫ ମାସର ସରକାରଙ୍କର ହିସାବ ନେଉଛନ୍ତି। ପ୍ରଥମେ ସେମାନେ ଶିବରାଜ ସିଂ ଚୌହ୍ବାନଙ୍କର ୧୮ ବର୍ଷର ଶାସନର ହିସାବ ଦେବା ଉଚିତ। ଏହା ପରେ ହିଁ ସେମାନେ ମୋର ୧୫ ମାସର କାର୍ଯ୍ୟକାଳର ହିସାବ ପାଇବେ। ସେ ଖୋଲାଖୋଲି ଭାବେ ଶିବରାଜ ସିଂ ଚୌହ୍ବାନଙ୍କୁ ଚ୍ୟାଲେଞ୍ଜ କରିଥିଲେ ଯେ ସେ ଏକ ମଞ୍ଚକୁ ଆସି ପ୍ରଶ୍ନର ଉତ୍ତର ଦେଇପାରିବେ।