ଭୋପାଳ,୨୭।୭: ମଧ୍ୟ ପ୍ରଦେଶ ସାଧାରଣ ନିର୍ବାଚନକୁ ଆଉ ବେଶିଦିନ ବାକି ନାହିଁ। ରାଜ୍ୟରେ ଶାସନ କ୍ଷମତାକୁ ହରାଇଥିବା ପିସିସି ମୁଖ୍ୟ କମଲନାଥ ଏବେ ଟିକେ କଡା ନିମୟ ଆପଣାଇଛନ୍ତି। ଏହି ନିୟମ ଆଉ କାହାପାଇଁ ନୁହେଁ ବରଂ ନିଜ ଦଳର କର୍ମୀଙ୍କ ପାଇଁ। କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ସେ କଂଗ୍ରେସ କର୍ମୀଙ୍କୁ କଠୋର ସ୍ବରରେ କହିଛନ୍ତି ଯେ ଦଳଗତତା ଓ ବିଦ୍ରୋହକୁ ଆଦୌ ବରଦାସ୍ତ କରାଯିବ ନାହିଁ। ସମସ୍ତଙ୍କ ସହମତିରେ ବିଜେତା ପ୍ରାର୍ଥୀ ଚୟନ କରାଯିବ।
ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ସମଗ୍ର ରାଜ୍ୟରେ ଜିଲ୍ଲା ମୁଖ୍ୟଙ୍କ ଏକ ବୈଠକ ଆୟୋଜିତ ହୋଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ବୈଠକରେ କେବଳ ଜିଲ୍ଲା ମୁଖ୍ୟଙ୍କୁ ଅନୁମତି ଦିଆଯାଇଥିଲା। ଜିଲ୍ଲା ମୁଖ୍ୟଙ୍କ ସହ ଥିବା ସମର୍ଥକଙ୍କୁ ପିସିସି କାର୍ଯ୍ୟାଳୟ ବାହାରେ ରହିବାକୁ ପଡିଲା। ଏହି ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ସଭାପତି କମଲ ନାଥ ଅଧ୍ୟକ୍ଷତା କରିଥିଲେ।
ପିସିସି ମୁଖ୍ୟ କମଲ ନାଥ ଜିଲ୍ଲା ମୁଖ୍ୟଙ୍କୁ ସମ୍ବୋଧିତ କରିବାବେଳେ ଏହି ବାର୍ତ୍ତା ସାରା ରାଜ୍ୟରେ କଂଗ୍ରେସ କର୍ମୀଙ୍କୁ ଜଣାଇଛନ୍ତି ଯେ ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବିଜୟୀ ହେବାକୁ ପଡିବ। ସମସ୍ତଙ୍କ ସମନ୍ବୟ ସହିତ ଏହା ସମ୍ଭବ ହେବ। ଦଳବାଦ ଏବଂ ବିଦ୍ରୋହକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି। ଯେଉଁମାନେ ବିଦ୍ରୋହ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।