Categories: ଜାତୀୟ

ଡାକ୍ତରୀ ପଢ଼ିବାକୁ ଆମେରିକା ଯାଇଥିଲେ କମଲା ହାରିସ୍‌ଙ୍କ ମା’

ଚେନ୍ନାଇ, ୧୩।୮: ଭାରତୀୟ ବଂଶୋଦ୍ଭବ କମଲା ହାରିସ୍‌ ଆମେରିକାର ଡେମୋକ୍ରାଟ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ମନୋନୀତ ହୋଇଛନ୍ତି। ଏହି ସିନେଟରଙ୍କ ମାତୃଭାଷା କନ୍ନଡ଼। ତାଙ୍କ ମାଆ ଶ୍ୟାମଳା ଗୋପାଳନଙ୍କ ଜନ୍ମସ୍ଥାନ ଚେନ୍ନାଇ। ସେ ଡାକ୍ତରୀ ପଢ଼ିବା ପାଇଁ ଆମେରିକା ଯାଇ କ୍ୟାନ୍‌ସର ଗବେଷକ ହୋଇଥିଲେ। ପରେ ସେ ଜାମାଇକାର ଅର୍ଥନୀତିଜ୍ଞ ଡୋନାଲ୍ଡ ହାରିସ୍‌ଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇଝିଅ କମଲା ଓ ମାୟା। କମଲାଙ୍କ ଜନ୍ମ ୧୯୬୪ ଅକ୍ଟୋବର ୨୦ରେ କାଲିଫର୍ନିଆର ଓକ୍‌ଲାଣ୍ଡରେ। ସେ ବର୍କେଲିରେ ବଢ଼ିଥିଲେ। ମାତାପିତାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ପରେ ସେ କାନାଡାରେ ହାଇସ୍କୁଲ ଶିକ୍ଷା ଗ୍ରହଣ କରିଥିଲେ। ତାଙ୍କ ମାଆ ସେତେବେଳେ ମଣ୍ଟ୍ରିଲ୍‌ର ମାକ୍‌ଗିଲ୍‌ ୟୁନିଭର୍ସିଟିରେ ଅଧ୍ୟାପନା କରୁଥିଲେ। କମଲା ଛୋଟବେଳେ ତାଙ୍କ ଅଜାଙ୍କ ଘର ଚେନ୍ନାଇର ବେସାନ୍ତ ନଗରକୁ ଆସୁଥିଲେ। ଅଜା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପି.ଭି. ଗୋପାଳନଙ୍କ ସହ ସେ ଏଲିଅଟ୍ସ ବେଳାଭୂମିକୁ ବୁଲିବାକୁ ଆସୁଥିଲେ। କମଲା ଆମେରିକାର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାରୁ ତାଙ୍କ ଚେନ୍ନାଇ ମୂଳ ପରିବାର ଖୁସିବ୍ୟକ୍ତ କରିଛନ୍ତି। ତାଙ୍କ ଭଉଣୀ ମାୟା ହାରିସ୍‌ ମଧ୍ୟ ଟୁଇଟ୍‌ କରି ଖୁସି ଜାହିର କରିଛନ୍ତି। ଶ୍ୟାମଳାଙ୍କ ଭଉଣୀ ସରଳା ଗୋପାଳନ ଓ ଭାଇ ଜି. ମାଲଚନ୍ଦ୍ରନ ଏବେ ଭାରତରେ ରହୁଛନ୍ତି। ବୁଧବାର ସକାଳେ ଝିଆରୀ କମଲାଙ୍କ ସମ୍ପର୍କରେ ଖବର ପାଇବା ପରେ ସରଳା ଏକ ପ୍ରକାଶନ ସଂସ୍ଥା ସହ କଥା ହୋଇଥିଲେ। ସେ କହିଥିଲେ, ତାଙ୍କ ଝିଆରୀ ଏପର୍ଯ୍ୟନ୍ତ ତାଙ୍କ ମୂଳ ବଂଶଧରଙ୍କୁ ଭୁଲିନାହାନ୍ତି। ତାଙ୍କ ଚିଠି ସମ୍ପର୍କରେ ସରଳା ମନେ ପକାଇଥିଲେ।

Share