Categories: ଖେଳ

କମଲ୍‌ପ୍ରୀତ ୩ ବର୍ଷ ବାସନ୍ଦ

ନୂଆଦିଲ୍ଳୀ,୧୩ା୧୦(ପି.ଟି.): ଟୋକିଓ ୨୦୨୦ରେ ସଫଳତାର ଶିଖର ଛୁଇଁଥିବା ମହିଳା ଡିସ୍‌କସ ଥ୍ରୋୟର କମଲପ୍ରୀତ କୌରଙ୍କୁ ୩ ବର୍ଷ ବାସନ୍ଦ କରାଯାଇଛି। ତାଙ୍କ ନମୁନାରେ ନିଷିଦ୍ଧ ଶକ୍ତିବର୍ଦ୍ଧକ ପଦାର୍ଥ ଷ୍ଟାନୋଜୋଲୋଲ ମିଳିଥିବା ବେଳେ ଆଥ୍‌ଲେଟିକ୍ସ ଇଣ୍ଟେଗ୍ରିଟି ୟୁନିଟ (ଏଆଇୟୁ) ପକ୍ଷରୁ ତାଙ୍କୁ ବାସନ୍ଦ କରାଯାଇଛି। ମାର୍ଚ୍ଚ ୨୯, ୨୦୨୨ଠାରୁ ଏହି ବାସନ୍ଦାଦେଶ ଲାଗୁ କରାଯିବ। ମାର୍ଚ୍ଚ ୭ ତାରିଖରେ ପଟିଆଲାରୁ ସଂଗୃହୀତ ନମୁନାରେ ଷ୍ଟେରଏଡ ମିଳିବା ପରେ ମେ’ ମାସରେ ତାଙ୍କୁ ମୌଖିକ ଭାବରେ ବାସନ୍ଦ କରାଯାଇଥିଲା। ଷ୍ଟାନୋଜୋଲୋଲ ଏକ ଆନାବଲିକ୍‌ ଷ୍ଟେରଏଡ୍‌, ଏହାର ବ୍ୟବହାର ମାଂସପେଶୀର ଆକାର ବୃଦ୍ଧି ପାଇଁ ବ୍ୟବହୃତ କରାଯାଇଥାଏ।

କମଲପ୍ରୀତ ନିଜର ବି ନମୁନା ପରୀକ୍ଷଣ ପାଇଁ ମନା କରିଥିଲେ। ହାତରୁ ଖର୍ଚ୍ଚ କରି ସେ ବି ନମୁନା ପରୀକ୍ଷଣ କରିବାକୁ ଅରାଜି ଥିବା ଏଆଇୟୁ ପକ୍ଷରୁ କୁହାଯାଇଛି। ଟୋକିଓ ଅଲିମ୍ପିକ୍ସରେ ଷଷ୍ଠ ସ୍ଥାନରେ ରହି କମଲପ୍ରୀତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ୬୫.୦୬ ମିଟରର ଥ୍ରୋ ସହିତ ଜାତୀୟ ରେକର୍ଡ ନିଜ ନାମରେ କରିଥିଲେ। ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ଦ୍ୱିତୀୟ ସ୍ଥାନରେ ରହିବା ସହିତ ୬୩.୭୦ ମିଟରର ଥ୍ରୋ ସହିତ ଷଷ୍ଠ ସ୍ଥାନ ହାସଲ କରିଥିଲେ। ଭାରତୀୟଙ୍କ ମଧ୍ୟରେ ଫିଲ୍ଡ ଇଭେଣ୍ଟରେ ଏହା ତୃତୀୟ ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା। ୨୬ ବର୍ଷୀୟ କମଲପ୍ରୀତ ୪ଟି ସପ୍ଲିମେଣ୍ଟ ନେଉଥିବା ବେଳେ ଏଥିରୁ ଗୋଟିଏରେ ଷ୍ଟାନୋଜୋଲୋଲ ରହିଥିଲା।

ଏହି ସପ୍ଲିମେଣ୍ଟଗୁଡ଼ିକ ନ୍ୟାଶନାଲ ଡୋପ ଟେଷ୍ଟିଂ ଲାବୋରେଟୋରିରେ ପରୀକ୍ଷଣ ପରେ ମଧ୍ୟ ସମାନ ଫଳ ଆସିଥିଲା। ଏଆଇୟୁ ପକ୍ଷରୁ ତାଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା। ୧୦-୧୫ ଫେବୃୟାରୀ ମଧ୍ୟରେ ସେ ଏହି ସପ୍ଲିମେଣ୍ଟ ସେବନ ଆରମ୍ଭ କରିଥିଲେ। ଅଭ୍ୟାସ ସମୟରେ ସପ୍ତାହକୁ ୫ ଦିନ ସେ ଏହା ସେବନ କରୁଥିବା କମଲପ୍ରୀତ ସ୍ବୀକାର କରିଥିଲେ। ଏହି ଷ୍ଟେରଏଡ ତାଙ୍କୁ କେମିତି ମିଳିଲା ସେ ନେଇ କୌଣସି ସ୍ପଷ୍ଟ ଉତ୍ତର ରଖି ନ ଥିଲେ। ସେପ୍ଟେମ୍ବର ୭ ତାରିଖରେ ଏଆଇୟୁ ପକ୍ଷରୁ ନୋଟିସ ଦିଆଯାଇଥିଲା। ଏହାର ୨୦ ଦିନ ପରେ କମଲପ୍ରୀତ ନିଜ ଭୁଲ ସ୍ବୀକାର କରିଥିଲେ। ଫଳସ୍ବରୂପ ୪ ବର୍ଷର ବାସନ୍ଦାଦେଶକୁ ୩ ବର୍ଷକୁ ହ୍ରାସ କରାଯାଇଥିଲା। ଏହା ସହ ମାର୍ଚ୍ଚ ୭ ପରଠାରୁ କମଲପ୍ରୀତଙ୍କ ନାମରେ ଥିବା ସମସ୍ତ ରେକର୍ଡକୁ ଖାରଜ କରି ଦିଆଯାଇଛି।

Share