ଟିକିରି,୨୭ା୩(ଡି.ଏନ୍.ଏ.):କମାରଶାଳରେ ଆଉ ଆଗଭଳି ଶବ୍ଦ ଶୁଣୁନି। ପୂର୍ବରୁ ଲୋକେ ଦା’, ଟାଙ୍ଗିଆ, କୋଡ଼ି, ଆଦି ତିଆରି କରିବାକୁ କମାରଶାଳ ଆସୁଥିଲେ। ଏବେ ଆଉ ସେ ସବୁ ନାହିଁ। ଆଧୁନିକ ଯନ୍ତ୍ରପାତି ଲୁହା କାମ କରୁଥିବା ଲୋକଙ୍କ ବୃତ୍ତି ବୁଡ଼ାଇବାକୁ ବସିଲାଣି। ରାୟଗଡ଼ା ଜିଲା କାଶୀପୁର ବ୍ଲକରେ କାଁଭାଁ ଲୋହରା ସଂପ୍ରଦାୟଙ୍କ କମାରଶାଳ ଦେଖିବାକୁ ମିଳୁଥିବା ବେଳେ ଏଥିରେ କଷ୍ଟେମଷ୍ଟେ ସେମାନଙ୍କ ପରିବାର ଚଳୁଛି। ବ୍ଲକ ଅନ୍ତର୍ଗତ ଟିକିରିରେ ଏଭଳି ଦେଖିବାକୁ ମିଳୁଛି। ଟିକିରିର ବଳରାମ ମାଝୀଙ୍କ କମାରଶାଳ ରହିଛି। ତାଙ୍କ କହିବାନୁଯାୟୀ ବର୍ତ୍ତମାନ ସମୟରେ ଏହି କୌଳିକ ବୃତ୍ତି କରି ପରିବାର ଚଳାଇବା କଷ୍ଟକର ହୋଇପଡୁଛି। ମାତ୍ର ଏହା ତାଙ୍କର ବଂଶାନୁଗତ ପାରମ୍ପରିକ କାମ ହୋଇଥିବାରୁ ଛାଡି ହେଉନି ବୋଲି କହିଛନ୍ତି। ଏଥିରୁ ମିଳୁଥିବା ଅର୍ଥରେ କେଉଁ ଦିନ ଘର ଖର୍ଚ୍ଚ ଉଠିଯାଉଛି ତ କେଉଁଦିନ ନିରାଶ ହେବାକୁ ପଡ଼ୁଛି । ୩ ଝିଅ ଓ ୨ ପୁଅଙ୍କ ମଧ୍ୟରୁ ସାନପୁଅ ଯେତେବେଳେ ସମୟ ମିଳେ ତାଙ୍କୁ ଆସି ସାହାଯ୍ୟ କରେ ବୋଲି ସେ କହିଛନ୍ତି। ଏତେ କମ ବୟସରୁ ତାହାର କୌଳିକ ବୃତ୍ତି ପ୍ରତି ଆଗ୍ରହ ରହିଥିବାରୁ ସମସ୍ତଙ୍କୁ ଚକିତ କରୁଛି। ବଳରାମ କହିଛନ୍ତି ଯେ, ପରିବାରକୁ ସରକାରଙ୍କ ତରଫରୁ କେବଳ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ମିଳିଯାଉଛି । କାମ ନ ଥିବାରୁ ଅଧିକାଂଶ କମାରଶାଳ ଲୋପ ପାଇବାକୁ ବସିଲାଣି। ସରକାର କିଛି ସହାୟତା ଦେଲେ ପୁଣି କୌଳିକ ଉଜ୍ଜୀବିତ ହୋଇପାରିଥାନ୍ତା।