କାମିଲା ପରବର୍ତ୍ତୀ ରାଣୀ ହେବେ

ଲଣ୍ଡନ,୭।୨: ପ୍ରିନ୍ସ ଚାଲର୍‌ସ ବ୍ରିଟେନର ରାଜା ହେଲେ ଡଚେସ୍‌ ଅଫ୍‌ କର୍ନଓ୍ବାଲ କାମିଲା ରାଣୀ ହେବେ ବୋଲି ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଶନିବାର ମହାରାଣୀ ତାଙ୍କର ପ୍ଲାଟିନମ୍‌ ଜୁବିଲି ଉଦ୍‌ବୋଧନ ବେଳେ ୭୪ ବର୍ଷୀୟା କାମିଲାଙ୍କୁ ସମର୍ଥନ କରିବା ସହ ଭବିଷ୍ୟତ ରାଜତନ୍ତ୍ର ସମ୍ପର୍କରେ ସ୍ପଷ୍ଟ ସଙ୍କେତ ଦେଇଛନ୍ତି। ୯୫ ବର୍ଷୀୟା ଏଲିଜାବେଥ୍‌ ଦ୍ୱିତୀୟ ଶାସନର ୭୦ତମ ବର୍ଷରେ ପଦାର୍ପଣ କରିଛନ୍ତି। ଏବେ ସେ ତାଙ୍କ ବୋହୂ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଲିଖିତ ବାର୍ତ୍ତାରେ ମହାରାଣୀ ଦେଶବାସୀଙ୍କୁ ସେମାନଙ୍କ ସମର୍ଥନ ପାଇଁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି। ‘ସମୟକ୍ରମେ ମୋ ପୁଅ ଚାଲର୍‌ସ ରାଜା ହେଲେ ଆପଣମାନେ ତାଙ୍କୁ ଓ ତାଙ୍କ ସ୍ତ୍ରୀ କାମିଲାଙ୍କୁ ଅନୁରୂପ ସମର୍ଥନ ଜଣାଇବେ ବୋଲି ମୁଁ ଜାଣେ। ସମୟ ଆସିଲେ କାମିଲା କୁଇନ୍‌ ଅଫ୍‌ କନ୍‌ସର୍ଟ ଭାବେ ପରିଚିତ ହେବେ’ ବୋଲି ମହାରାଣୀ କହିଛନ୍ତି।
ଚାଲର୍‌ସ ଓ ଡାଏନାଙ୍କ ବିବାହ ସମୟରେ ଅନ୍ୟ ମହିଳା ଭାବେ ଯୋଗ ଦେଇଥିବା କାମିଲା ଏକଦା ଘୃଣିତ ବ୍ୟକ୍ତିତ୍ୱ ଥିଲେ। ୨୦୦୫ରେ ସେ ଚାଲର୍‌ସଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ସମୟ କ୍ରମେ ତାଙ୍କ ବ୍ୟକ୍ତିତ୍ୱରେ ଉଲ୍ଲେଖନୀୟ ଉନ୍ନତି ହୋଇଛି। ସେ ବିଭିନ୍ନ ରାଜକୀୟ କାର୍ଯ୍ୟରେ ଭାଗ ନେଇ ଲୋକପ୍ରିୟତା ହାସଲ କରିଛନ୍ତି।

Share