ତିନିରଥରୁ କଢ଼ାହେଲା କନା, କଳସ

ପୁରୀ ଅଫିସ, ୨୦ା୭: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ସରିବା ପରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ତିନିରଥ ରହିଛି। ନୀଳାଦ୍ରି ବିଜେ ପର ଦିନ ତିନି ରଥରୁ ସାରଥି, ଠେକରା ବାଡ଼ ଓ ପାର୍ଶ୍ୱଦେବଦେବୀଙ୍କୁ କଢ଼ାଯାଇଥିଲା। ଠେକରାବାଡ଼ ଓ ପାର୍ଶ୍ୱଦେବଦେବୀଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସର ଓ ସାରଥିମାନଙ୍କୁ ଦୋଳବେଦୀ ପରିସରରେ ରଖାଯାଇଛି। ସେହିପରି ତିନିରଥର ଘୋଡ଼ା ଓ ଚାରମାଳଗୁଡ଼ିକୁ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରକୁ ନିଆଯାଇଥିଲା। ପରେ ତିନିରଥରେ ଲାଗିଥିବା ପିତ୍ତଳ ସାମଗ୍ରୀଗୁଡ଼ିକୁ ମଧ୍ୟ କଢ଼ାଯାଇଥିଲା। ତିନି ରଥରୁ କନା, କଳସ ପ୍ରଭୃତି କଢ଼ାଯାଇ ନ ଥିଲା। ମଙ୍ଗଳବାର ଅପରାହ୍ନରେ ପ୍ରଥମେ କଳସ ଓ ପରେ କନା ବାହାର କରାଯାଇଛି। ଏଗୁଡିକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ରଖାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥ ଭଙ୍ଗା ନେଇ ସୂଚନା ଆସିବା ପରେ ଭୋଇ ସେବକମାନେ ରଥ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରିବେ ବୋଲି ସୂଚନା ମିିଳିଛି।

Share