Categories: ଫୁରସତ

କାଞ୍ଚତ୍ ବିଜୟର ସନ୍ତକ ‘ଗଣେଶ ଖୋଲା’

ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ପରିଚୟ ହାସଲ କରିଛି ଢେଙ୍କାନାଳ। ଐତିହ୍ୟ, ସଂସ୍କୃତି, ପରମ୍ପରା, ଜୈବ ବିବିଧତାରେ ସମୃଦ୍ଧ ଏହି ଜିଲା ସବୁବେଳେ ପର୍ଯ୍ୟଟକଙ୍କ ପାଇଁ ସାଜିଛି ଆକର୍ଷଣର କେନ୍ଦ୍ରବିନ୍ଦୁ। କପିଳାସ, ସପ୍ତଶଯ୍ୟା, ମହିମାଗାଦି, ଅନନ୍ତଶୟନ, ଅଷ୍ଟଶମ୍ଭୁ ପରେ ଯୋରନ୍ଦା ବ୍ଲକ କରମୂଳ ଗ୍ରାମ ନିକଟରେ ଶୋଭା ବଢ଼ାଉଛି ସିଦ୍ଧ ବିନାୟକ ପୀଠ ‘ଗଣେଶ ଖୋଲା’। ଢେଙ୍କାନାଳ ସଦରରୁ ୪୦ କି.ମି. ଦୂରରେ ଅବସ୍ଥିତ ଏହି ସ୍ଥାନର ପ୍ରମୁଖ ଆକର୍ଷଣ କଳା ମୁଗୁନି ପଥରରେ ନିର୍ମିତ ସିଦ୍ଧ ଗଣେଶଙ୍କ ପ୍ରତିମା। ତେବେ ‘ଗଣେଶ ଖୋଲା’ର ନିବିଡ଼ ସମ୍ପର୍କ ରହିଛି କାଞ୍ଚତ୍ ଅଭିଯାନ ସହିତ। ଗବେଷକ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ସୂଚନା ଅନୁଯାୟୀ, ପୁରୀ ଗଜପତି ପ୍ରତାପରୁଦ୍ର ଦେବଙ୍କ ମୁଖ୍ୟ ସେନାପତି ଥିଲେ ହରିସିଂହ ବିଦ୍ୟାଧର। ସେ କରମୂଳ ପାଟଣାରେ ୧୫୩୧ ଖ୍ରୀଷ୍ଟାବ୍ଦରେ ଉଆସ ନିର୍ମାଣ କରି ରାଜା ଭାବେ ଅଭିଷିକ୍ତ ହୋଇଥିଲେ। ଦାକ୍ଷିଣାତ୍ୟ ବିଜୟ ପରେ କାଞ୍ଚତ୍ରୁ ଉକ୍ତ ସିଦ୍ଧ ଗଣେଶଙ୍କ ମୂର୍ତ୍ତି ଆଣି ‘ଗଣେଶ ଖୋଲା’ରେ ପ୍ରତିଷ୍ଠା କରିଥିଲେ। ସମୟ ସ୍ରୋତରେ ରାଜଉଆସ ବିଲୀନ ହୋଇଯାଇଥିବାବେଳେ ଏବେ କେବଳ ସ୍ମୃତି ସାଉଁଟୁଛି ‘ଗଣେଶ ଖୋଲା’।
ରାମାନନ୍ଦୀ ସମ୍ପ୍ରଦାୟର ସାଧୁ ଗୋବର୍ଦ୍ଧନ ମହାରାଜଙ୍କ ଦ୍ୱାରା ଏଠାରେ ଏକ ମଠ ପ୍ରତିଷ୍ଠା ହୋଇଥିଲା। ତାଙ୍କ ପଟ୍ଟଶିଷ୍ୟ ବାବା ବନବିହାରୀ ମହାରାଜ ‘ଗଣେଶ ଖୋଲା’ରେ ଶ୍ରୀରାମ ମନ୍ଦିର ଏବଂ ହନୁମାନଙ୍କ ମୂର୍ତ୍ତି ପ୍ରତିଷ୍ଠା କରିଥିଲେ। ସିଦ୍ଧ ଗଣେଶଙ୍କ ନିକଟରେ ପ୍ରାଚୀନ ଶିବଲିଙ୍ଗ ସହ ହରଗୌରୀ ମଧ୍ୟ ପୂଜା ପାଉଛନ୍ତି। ଏଠାରେ ଝରଣାର କଳକଳ ନାଦ, ପକ୍ଷୀଙ୍କ କିଚିରିମିଚିରି ଶବ୍ଦ, ଜଙ୍ଗଲର ଶାନ୍ତ ପରିବେଶ କ୍ଷଣିକରେ କ୍ଳାନ୍ତି ଦୂର କରିଦିଏ। ମକର ସଂକ୍ରାନ୍ତି, ଶ୍ରୀରାମ ନବମୀ, ଶିବରାତ୍ରି, ହନୁମାନ ଜୟନ୍ତୀରେ ଏଠାରେ ନାହିଁ ନ ଥିବା ଭିଡ଼ ପରିଲକ୍ଷିତ ହୁଏ। ବ୍ରାହ୍ମଣୀ ନଦୀ ପାର୍ଶ୍ୱରେ ଅବସ୍ଥିତ ଏହି ପୀଠର ବିକାଶ କରାଗଲେ ଏହାର ଐତିହାସିକ ମର୍ଯ୍ୟାଦା ବୃଦ୍ଧି ପାଇବ ବୋଲି ଅଞ୍ଚଳବାସୀ କହିଛନ୍ତି।
– ରତନ ନାୟାର

Share