କାନ୍ଦାହାର ମସ୍‌ଜିଦ ବିସ୍ଫୋରଣରେ ନିଜକୁ ଦାୟୀ କଲା ଆଇଏସ୍‌

କାବୁଲ, ୧୬।୧୦: ଆଫଗାନିସ୍ତାନର କାନ୍ଦାହାର ସହରରେ ହୋଇଥିବା ମସ୍‌ଜିଦ୍‌ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୪୭ରେ ପହଞ୍ଚତ୍ଥିବା ବେଳେ ଅନ୍ୟ ୯୦ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ ଇସ୍‌ଲାମିକ ଷ୍ଟେଟ୍‌ (ଆଇଏସ୍‌) ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି। ମୃତ୍ୟୁସଂଖ୍ୟା ସମ୍ପର୍କରେ କାନ୍ଦାହାର ସଂସ୍କୃତି ଓ ସୂଚନା ନିର୍ଦ୍ଦେଶାଳୟ ଅଧିକାରୀ ସ୍ପଷ୍ଟ କରିଛନ୍ତି।
କାନ୍ଦାହାରର ଏକ ଶିୟା ମସ୍‌ଜିଦ୍‌ରେ ଶୁକ୍ରବାର ନମାଜ ପାଠ ଚାଲିଥିବାବେଳେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ଏଥିରେ ସଂଖ୍ୟାଲଘୁ ସମ୍ପ୍ରଦାୟର ୪୭ ଜଣଙ୍କ ଜୀବନ ଯାଇଛି। ଏହାର ସପ୍ତାହେ ପୂର୍ବରୁ କୁନ୍ଦୁଜ୍‌ ସହରରେ ଆଇଏସ୍‌ ପକ୍ଷରୁ ଆଉ ଏକ ବିସ୍ଫୋରଣ କରାଯାଇଥିଲା। ବିବି ଫତିମା ଶିୟା ମସ୍‌ଜିଦ୍‌ର ଇମାମ ସର୍ଦ୍ଦାର ମହମ୍ମଦ ଜାଇଦିଙ୍କ କହିବା ଅନୁଯାୟୀ ଶୁକ୍ରବାର ନମାଜ ପାଠ ସମୟରେ ସେଠାରେ ପ୍ରାୟ ୩,୦୦୦ ଲୋକ ଉପସ୍ଥିତ ଥିଲେ। ଏହି ସମୟରେ ମସ୍‌ଜିଦ ପରିସରରେ ୩ରୁ ୪ ଜଣ ଆତଙ୍କବାଦୀ ସେଠାରେ ପହଞ୍ଚତ୍ଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ଗେଟ୍‌ ନିକଟରେ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ଅନ୍ୟ ଦୁଇଜଣ ମସ୍‌ଜିଦ ଭିତରେ ପ୍ରବେଶ କରି ନିଜକୁ ବିସ୍ଫୋରଣ କରିଥିଲେ। କାନ୍ଦାହାର ସହରର ଏହା ସବୁଠୁ ବଡ଼ ବିସ୍ଫୋରଣ ଘଟଣା ବୋଲି କୁହାଯାଉଛି। ତାଲିବାନ ସରକାର ଏଭଳି ଆକ୍ରମଣକୁ ନିନ୍ଦା କରିଛନ୍ତି।

Share