Categories: ଖେଳ

କନ୍ଧମାଳ, ଢେଙ୍କାନାଳ, ଖୋର୍ଦ୍ଧା, କଳାହାଣ୍ଡି ବିଜୟୀ

ଭୁବନେଶ୍ୱର, ୫ା୫(ସ୍ପୋଟର୍‌ସ ବ୍ୟୁରୋ): ୬୨ତମ ପୁରୁଷ ସିନିୟର ଆନ୍ତଃଜିଲା ଫୁଟ୍‌ବଲ ଚାମ୍ପିୟନଶିପ୍‌ ସାହାଣୀ କପ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚଗୁଡ଼ିକରେ କନ୍ଧମାଳ, ଢେଙ୍କାନାଳ, ଖୋର୍ଦ୍ଧା ଓ କଳାହାଣ୍ଡି ସେମାନଙ୍କ ମ୍ୟାଚଗୁଡ଼ିକରେ ବିଜୟ ଲାଭ କରିଛନ୍ତି। କଟକସ୍ଥିତ ବିଡ଼ାନାସୀ ଗ୍ରାଉଣ୍ଡରେ କନ୍ଧମାଳ ୨-୧ ଗୋଲ୍‌ରେ ଭଦ୍ରକକୁ ହରାଇ ଦେଇଛି। ବିଜୟୀ ଦଳ ପକ୍ଷରୁ ପିଣ୍ଟୁ ସାନ୍ତା ଦୁଇଟି ଗୋଲ ସ୍କୋର କରିଥିବା ବେଳେ ଭଦ୍ରକ ତରଫରୁ ଅଜୟ ମାରାଣ୍ଡି ଗୋଟିଏ ଗୋଲ୍‌ ଦେଇଥିଲେ। ଭୁବନେଶ୍ୱରସ୍ଥିତ ୭ମ ବାଟାଲିୟନ ଗ୍ରାଉଣ୍ଡରେ ଢେଙ୍କାନାଳ ୪-୦ ଗୋଲ୍‌ରେ କେନ୍ଦ୍ରାପଡ଼ାକୁ ପରାଜିତ କରିଛି। ଢେଙ୍କାନାଳ ପକ୍ଷରୁ ଅନୀଲ ସ୍ବାଇଁ, ଆଶିଷ ମାଝି, ରଜତ କୁମାର ରାଉତ ଓ ଫଗୁଆ କିସ୍‌କୁ ଗୋଲ ଦେଇଥିଲେ। ସେହିପରି ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ଗ୍ରାଉଣ୍ଡରେ ସମ୍ବଲପୁର ବିପକ୍ଷରେ ଖୋର୍ଦ୍ଧା ୨-୧ ଗୋଲ୍‌ରେ ବିଜୟ ଲାଭ କରିଛି। ଖୋର୍ଦ୍ଧ ପକ୍ଷରୁ ସକିର ଅହମ୍ମଦ ଓ ମନୋଜ ସ୍ବାଇଁ ଗୋଲ ସ୍କୋର କରିଥିବା ବେଳେ ବିପକ୍ଷ ସମ୍ବଲପୁର ପକ୍ଷରୁ ଏକମାତ୍ର ଗୋଲ ରଞ୍ଜନ ମୁଣ୍ଡା ସ୍କୋର କରିଥିଲେ। କଟକସ୍ଥିତ ଓଟିଏମ୍‌ ଗ୍ରାଉଣ୍ଡରେ କଳାହାଣ୍ଡି ୬-୧ ଗୋଲ୍‌ରେ ନୂଆପଡ଼ାକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ଭବାନୀ ଶଙ୍କର ବିମଳ ବ୍ୟକ୍ତିଗତ ୩ ଗୋଲ୍‌ ସ୍କୋର କରିଥିବା ବେଳେ ସମୀର ମାଝି ଦୁଇଟି ଏବଂ ଭେଙ୍କଟେଶ୍ୱର ଓରାମ ଗୋଟିଏ ଗୋଲ୍‌ ଦେଇଥିଲେ। ନୂଆପଡ଼ା ପକ୍ଷରୁ ଏକମାତ୍ର ଗୋଲ୍‌ ଅର୍ଜୁନ ନିଆଳ ଦେଇଥିଲେ। ଗୁରୁବାର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି। ୮ଟି ଦଳ କ୍ୱାର୍ଟରଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସେମାନେ ହେଲେ ଗ୍ରୁପ୍‌ ‘ଏକ୍ସ’ରୁ ସୁନ୍ଦରଗଡ଼, ବରଗଡ଼, ବୌଦ୍ଧ ଓ ଝାରସୁଗୁଡ଼ା ଏବଂ ଗ୍ରୁପ୍‌ ‘ଓ୍ବାଇ’ରୁ କଟକ, କନ୍ଧମାଳ, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ଓ ଖୋର୍ଦ୍ଧା। କ୍ୱାର୍ଟରଫାଇନାଲ ଶୁକ୍ରବାର ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ।

Share