Categories: ଖେଳ

କନ୍ଧମାଳ, ଢେଙ୍କାନାଳ, ଖୋର୍ଦ୍ଧା ବିଜୟୀ

ଭୁବନେଶ୍ୱର, ୩ା୫ (ସ୍ପୋଟର୍‌ସ ବ୍ୟୁରୋ): ୬୨ତମ ସିନିୟର ପୁରୁଷ ଆନ୍ତଃ ଜିଲା ଫୁଟ୍‌ବଲ ଚାମ୍ପିୟନଶିପ୍‌ ସାହାଣୀ କପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚଗୁଡ଼ିକରେ କନ୍ଧମାଳ, ଢେଙ୍କାନାଳ, ଖୋର୍ଦ୍ଧା ବିଜୟ ଲାଭ କରିଛନ୍ତି। ସମ୍ବଲପୁର ଓ କଳାହାଣ୍ଡି ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୧-୧ରେ ଅମୀମାଂସିତ ଭାବେ ଶେଷ ହୋଇଛି। କଟକସ୍ଥିତ ବିଡ଼ାନାସୀ ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚରେ କନ୍ଧମାଳ ୫-୦ ଗୋଲ୍‌ରେ କେନ୍ଦ୍ରାପଡ଼ାକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ଶିଶିକାନ୍ତ ଦାସିଆ, ସଞ୍ଜୀବ ଦାଶ, ଲକ୍ଷ୍ମଣ ସେଠ୍‌ ଓ ଉତ୍କଳମଣି ବେହେରା ଗୋଲ୍‌ ସ୍କୋର କରିଥିଲେ। ଦୁର୍ଗାମାଧବ ନାୟକ ମ୍ୟାଚ କମିଶନର ଦାୟିତ୍ୱ ତୁଲାଇଥିଲେ। ଭୁବନେଶ୍ୱରସ୍ଥିତ ୭ମ ବାଟାଲିୟନ ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚରେ ଢେଙ୍କାନାଳ ୨-୦ ଗୋଲରେ ଭଦ୍ରକକୁ ପରାସ୍ତ କରିଛି। ଦଳ ପକ୍ଷରୁ ଆଶିଷ ମାଝି ଦୁଇଟି ଯାକ ଗୋଲ ଖେଳର ୫୪ ଓ ୫୮ତମ ମିନିଟ୍‌ରେ ଦେଇଥିଲେ। ସୁଜିତ ପାତ୍ର ମ୍ୟାଚ କମିଶନର ଦାୟିତ୍ୱ ନିର୍ବାହ କରିଥିଲେ। କଟକସ୍ଥିତ ଓଟିମ୍‌ ଗ୍ରାଉଣ୍ଡରେ ସମ୍ବଲପୁର ଓ କଳାହାଣ୍ଡି ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୧-୧ରେ ଡ୍ର ଭାବେ ଶେଷ ହୋଇଛି। କଳାହାଣ୍ଡି ତରଫରୁ ଭବାନୀ ଶଙ୍କର ବେମାଲ ୬୬ତମ ମିନିଟରେ ମ୍ୟାଚର ପ୍ରଥମ ଜୋଲ ସ୍କୋର କରିଥିଲେ। ପରେ ସମ୍ବଲପୁର ତରଫରୁ ବିଜୁ ଓରାମ (୯୦+୧)ଏକ ଗୋଲ ଦେଇ ମ୍ରାଚକୁ ସମାନ ସ୍ତରକୁ ନେଇ ଆସିଥିଲେ। ଭୁବନେଶ୍ୱରସ୍ଥିତ କ୍ୟାପିଟଲ ଫୁଟ୍‌ବଲ ଆରେନାଠାରେ ଖେଳାଯାଇଥିବା ମ୍ୟାଚରେ ଖୋର୍ଦ୍ଧା ୫-୧ ଗୋଲ୍‌ରେ ନୂଆପଡ଼ାକୁ ପରାସ୍ତ କରିଛି। ଦଳ ପକ୍ଷରୁ ଅସୀମ ଡୁଙ୍ଗ୍‌ ଡୁଙ୍ଗ୍‌ (୫୫ତମ ଓ ୫୭ତମ ମିନିଟ) ୨ଟି ଗୋଲ ସ୍କୋର କରିଥିବା ବେଳେ ଗାଜାସୁଦ୍ଦିନ ଖାନ୍‌ (୩୦ତମ), ଅଜୟ ନାୟକ (୭୨ତମ) ଓ ମନୋଜ ସ୍ବାଇଁ (୪୯ତମ) ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ନୂଆପଡ଼ା ପକ୍ଷରୁ ଏକମାତ୍ର ଗୋଲ ଦୀନେଶ କୁମାର ଖେଳର ୩୩ତମ ମିନିଟ୍‌ରେ ସ୍କୋର କରିଥିଲେ। ସୁଦୀପ୍ତ ଦାଶ ମ୍ୟାଚ କମିଶନର ଦାୟିତ୍ୱ ତୁଲାଇଥିଲେ।

Share