ଦାରିଙ୍ଗବାଡି, ୧୩।୩ (ଅରୁଣ ସାହୁ ): ଆସନ୍ତା ୨୧ ଠାରୁ ୨୫ ପର୍ଯ୍ୟନ୍ତ ଫୁଲବାଣୀଠାରେ କନ୍ଧମାଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା -୨୦୨୫ ହେବାକୁ ଯାଉଛି। ଏହି ଅବସରରେ ଏକ ମଶାଲ ଶୋଭାଯାତ୍ରା ତୁମୁଡିବନ୍ଧ ବ୍ଲକରୁ ବାହାରି ଗୁରୁବାର ଦାରିଙ୍ଗବାଡିଠାରେ ପହଞ୍ଚିଥିଲା। ଏହାକୁ ମା’ପାଟ୍ଟଖଣ୍ଡାଙ୍କ ମନ୍ଦିରରେ ବ୍ଲକ ପ୍ରଶାସନ ଓ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ସ୍ବାଗତ କରାଯାଇଛି। ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ନେତୃତ୍ୱରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା, କନ୍ଧମାଳ ଏମପିଙ୍କ ବ୍ଲକ ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ, ଭାଜପା ମଣ୍ଡଳ ସଭାପତି ମିଟୁ ସାହୁ, ବ୍ଲକର ସମସ୍ତ କର୍ମଚାରୀ, ଅଙ୍ଗନୱାଡି କର୍ମୀ,ଲୋକପ୍ରତିନିଧି, ମିଶନଶକ୍ତିର ମହିଳା ଓ ଅଞ୍ଚଳବାସୀ ମଶାଲକୁ ସ୍ବାଗତ ଜଣାଇବା ପରେ ହେଲିପ୍ୟାଡ଼ ପଡିଆଠାରେ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ ମ୍ୟାଚ ଏବଂ ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ମଶାଲ ରାଇକିଆ ଅଭିମୁଖେ ବାହାରିଥିଲା। କନ୍ଧମାଳ ମହୋତ୍ସବକୁ ଅଧିକା ଲୋକ ସମ୍ପର୍କ ଯୋଡିବା ପାଇଁ ସମସ୍ତ ବ୍ଲକ ଅଞ୍ଚଳକୁ ମଶାଲ ପହଞ୍ଚାଇବା ପାଇଁ ଜିଲାପ୍ରଶାସନ ଏଭଳି ନିଆରା ପଦକ୍ଷେପ ନେଇଥିବା ଜଣାପଡିଛି।