ଦଙ୍ଗା ଗୁଜବକୁ ବିଶ୍ୱାସ ନକରିବାକୁ ପୋଲିସ କଲା ନିବେଦନ

ଦାରିଙ୍ଗବାଡି,୨୦।୮(ଅରୁଣ ସାହୁ): ସମଗ୍ର କନ୍ଧମାଳ ଜିଲାରେ ଦଙ୍ଗା ଗୁଜବକୁ ନେଇ ପୋଲିସ ପକ୍ଷରୁ ବ୍ୟାପକ ଜନ ସଚେତନ ଓ ବୈଠକ କରି ଲୋକଙ୍କୁ ଗୁଜବରୁ ଦୁରେଇ ରହିବା ସହ ଭୟଭୀତ ନହେବାକୁ ନିବେଦନ କରାଯାଇଛି। ଏହି କ୍ରମରେ ଦାରିଙ୍ଗବାଡି ଓ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ମଧ୍ୟ ଲୋକ ପ୍ରତିନିଧି, ବୁଦ୍ଧିଜୀବୀଙ୍କୁ ନେଇ ଥାନାରେ ବୈଠକ କରାଯିବା ସହ ଦଙ୍ଗା ଗୁଜବ ଠାରୁ ଦୁରେଇ ରହିବାକୁ ପରାମର୍ଶ ଦିଆଯାଇଛି ଏହି ସଚେତନବାର୍ତ୍ତା ବୁଧବାର ଠାରୁ ଗାଁ ଗାଁ’ରେ ପୋଲିସ ପକ୍ଷରୁ ପହଞ୍ଚେଇବାକୁ ପ୍ରୟାସ କରାଯାଉଛି।

ଦାରିଙ୍ଗବାଡି ଥାନା ଅଧିକାରୀ ରମେଶ ପ୍ରଧାନ ସଶସ୍ତ୍ର ବାହିନୀ ସହ ଦାରିଙ୍ଗବାଡି ସମେତ ସିଆଙ୍ଗବାଲି, ସିମନବାଡି, ଶ୍ରାନିକେତା, ସିମନବାଡି, ବାଡାବାଙ୍ଗା ଆଦି ଅଞ୍ଚଳରେ ପାଟ୍ରୋଲିଂ କରାଯିବା ସହ ବିଭିନ୍ନ ଗହଳିପୂର୍ଣ୍ଣ ଥାନାରେ ଲୋକଙ୍କୁ ସଚେତନ କରାଯାଇଛି ନିଜେ ଆଇଆଇଆସି ରମେଶ ପ୍ରଧାନ ଲୋକଙ୍କୁ ଗୁଜବ ଠାରୁ ଦୂରରେ ରହିବା ସହ ଗୁଜବକରୁଥିବା ବ୍ୟକ୍ତିଙ୍କ ନାମ ପୋଲିସକୁ ଜଣାଇବାକୁ ସେ ନିବେଦନ କରିଛନ୍ତି।

ପ୍ରକାଶ ଯେ, ଗତ କିଛି ଦିନ ହେଲା ଦଙ୍ଗାକୁ ନେଇ ଗୁଜବ ବିଭିନ୍ନ ସୋସିଆଲ ମିଡ଼ିଆରେ ପ୍ରଚାର ପ୍ରସାର ହେବା ଫଳ ରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଭୟ ପୋଲିସ ତରଫରୁ ମଙ୍ଗଳାବର ଏକ ସଚେତନତା ବୈଠକ ଥାନା ପରିସରରେ କରାଯାଇଥିବା ଜଣାପଡିଛି। ଶାନ୍ତି ବଜାୟ ରଖିବା ସହ ଉଭୟ ସମ୍ପ୍ରଦାୟର ଲୋକ ଏଭଳି ଗୁଜବରେ ବିଶ୍ୱାସ ନ କରିବା ପାଇଁ ଆଇଆଇଆସି ପରାମର୍ଶ ଦେବା ସହ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ କେହି ଅସାମାଜିକ ବ୍ୟକ୍ତି ଏଭଳି ଗୁଜବ ସୃଷ୍ଟି କରି ସୋସିଆଲ ମିଡ଼ିଆ ମାଧ୍ୟମରେ ପ୍ରଚାର କରିଛି ବୋଲି ଲୋକଙ୍କୁ କହିଛନ୍ତି ।

ଏ ଦିଗରେ ଜିଲା ପୋଲିସ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।ଏପରିକି ଭୟରେ କିଛି ଲୋକ ଜିଲ୍ଲା ବାହାରକୁ ମଧ୍ୟ ଚାଲି ଯାଉଥିବା ନେ଼ଇ ପ୍ରଶାସନ ପାଖରେ ଖବର ପହଞ୍ଚିଛି ଯାହାକି ଉଦବେଗଜନକ ଭୟଭୀତ ନହେବା ଓ ଭିଟା ମାଟି ନ ଛାଡିବାକୁ ନିବେଦନ କରାଯାଇଛି। ଅଞ୍ଚଳବାସୀ ମଧ୍ୟ ପୋଲିସକୁ କହିଛନ୍ତି ଏହି ସବୁ ଅଞ୍ଚଳରେ ଗୁଜବର ପ୍ରଭାବ ପଡିବ ନାହିଁ ପୋଲିସ ସଦାବେକେ ଲୋକଙ୍କ ସହ ରହିବା ଆବଶ୍ୟକ ବୋଲି ଲୋକ ପୋଲିସକୁ କହିଛନ୍ତି।

Share