Advertisement

ମହିଳାଙ୍କୁ ପରିଚୟ ଦେଇଛି କନ୍ଧମାଳ ଷ୍ଟ୍ରବେରି

ଭୁବନେଶ୍ୱର,୧।୨(ଶର୍ମିଷ୍ଠା ପାଣିଗ୍ରାହୀ)ଆଦିବାସୀ ମେଳାରେ କନ୍ଧମାଳ ଷ୍ଟ୍ରବେରି ଷ୍ଟଲ୍‌ରେ ବେଶ୍‌ ଭିଡ଼ ଜମୁଛି। ଗୋଟିଏ ପ୍ୟାକେଟର ମୂଲ୍ୟ ୧୦୦ଟଙ୍କା ରହିଛି। ଯିଏ ଯାଉଛି, ସିଏ କିଣୁଛି। ଜଣେ ଗ୍ରାହକ କହିଥିଲେ, ଆମ ମାଟିରେ ଷ୍ଟ୍ରବେରି ଫଳୁଛି। ଆମେ ଯଦି ଏହାକୁ କିଣି ସେମାନଙ୍କୁ ଲାଭ ନ ଦେବା ତା’ ହେଲେ ସେମାନଙ୍କ ବ୍ୟବସାୟ ହେବ କିଭଳି। ଆଉ ଏହି ଷ୍ଟ୍ରବେରି ସୁସ୍ବାଦୁ ମଧ୍ୟ। ବଜାରରରେ ଏଭଳି ପ୍ୟାକେଟ ୭୦ କି ୫୦ ଟଙ୍କାରେ ମିଳୁଛି। ମାତ୍ର ତା’ଠାରୁ ଏହା ଢେର ଅଲଗା। ଷ୍ଟ୍ରବେରି ଚାଷୀ ମିଙ୍କୁଲତା ପ୍ରଧାନ କହିଛନ୍ତି, ଆମେ ଆଗରୁ ଅଲଗା ପରିବା ଚାଷ କରୁଥିଲୁ। ମାତ୍ର ଗତବର୍ଷ ସରକାରଙ୍କ ପକ୍ଷରୁ ଚାରା ମିଳିବାରୁ ଆମେ ଷ୍ଟ୍ରବେରି ଚାଷ ଆରମ୍ଭ କଲୁ। ନଭେମ୍ବରରେ ଚାରା ଲାଗିଲେ ଜାନୁଆରୀ, ଫେବୃଆରୀ ଭିତରେ ଫଳ ଆସିଯାଏ। ପ୍ରତି ଗଛରୁ ପ୍ରାୟ ୫୦୦ଗ୍ରାମରୁ ଅଧିକ ଷ୍ଟ୍ରବେରି ଫଳିଥାଏ। ତେବେ ଏଥର ମେଳାରେ ଷ୍ଟଲ ପକାଇଛୁ। ମାଲ୍‌ ଆସି ପହଞ୍ଚୁ ପହଞ୍ଚୁ ବିକ୍ରି ହୋଇଯାଉଛି। ପ୍ରାୟ ୫୦ହଜାର ଟଙ୍କାର ବିକ୍ରି ହୋଇସାରିଲାଣି। ଆମର ସେଠି ୫ଟି ଗ୍ରୁପ୍‌ ମିଶି ଏହି ଷ୍ଟ୍ରବେରି ଚାଷ କରୁଛୁ। ପ୍ରତି ଗ୍ରୁପ୍‌ରେ ୧୦ଜଣ ମହିଳା ରହିଛନ୍ତି। ଏହି ଚାଷ ଅଧିକ ଦି ପଇସା ରୋଜଗାର ଦେଉଛି। ଷ୍ଟ୍ରବେରି ଚାଷ ମହିଳାଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିଛି ବୋଲି ଉକ୍ତ ଷ୍ଟଲ୍‌ରେ ଥିବା ବିଜୟଲକ୍ଷ୍ମୀ ପ୍ରଧାନ ଓ ପୁଷ୍ପାବତୀ ପ୍ରଧାନ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share