ଜେଲରେ ମିଳିବ କନ୍ଧମାଳ ହଳଦୀ

ସମ୍ବଲପୁର, ୩ା୨(ବ୍ୟୁରୋ): ସମ୍ବଲପୁର ମଣ୍ଡଳ କାରାଗାରରେ ଏଣିକି କନ୍ଧମାଳ ହଳଦୀ ଉପଲବ୍ଧ ହେବ। ବୁଧବାର କାରାଗାର ପରିସରରେ ଏକ କାଉଣ୍ଟର ଖୋଲାଯାଇ ହଳଦୀ ସାଙ୍ଗକୁ ଅଟା, ବେସନ ବିକ୍ରି ଆରମ୍ଭ ହୋଇଛି। ସୁପରିଣ୍ଟେଣ୍ଡେଣ୍ଟ ବୀରେନ ସାହୁ ଏହାକୁ ଉଦ୍‌ଘାଟନ କରି କହିଥିଲେ, ଜେଲ ପରିସରରେ ଅଟା, ହଳଦୀ ଓ ବେସନ ପାଇବା ପାଇଁ ଏକ ୟୁନିଟ୍‌ ସ୍ଥାପନ କରାଯାଇଛି। ବାହାରୁ କଞ୍ଚା ସାମଗ୍ରୀ ଆଣି ନିୟମିତ ଭାବେ ମେଶିନରେ ପେଷାଯିବ। ପରେ ୫ କେଜିଆ ପ୍ୟାକେଟ କରାଯାଇ ସୁଲଭ ମୂଲ୍ୟରେ ବଜାରରେ ବିକ୍ରି ହେବ। ବଜାର ଚାହିଦା ଅନୁସାରେ ଉତ୍ପାଦନ ବୃଦ୍ଧି କରାଯିବ। କେତେକ କଏଦୀ ଏହି ୟୁନିଟ୍‌ରେ କାମ କରି ରୋଜଗାର କରିପାରିବେ। ସୂଚନାଯୋଗ୍ୟ ଯେ, ପୂର୍ବରୁ ଜେଲ ପରିସର ବିକ୍ରୟ କେନ୍ଦ୍ରରେ ଖଦିର ରୁମାଲ, ବ୍ୟାଗ୍‌, ବେଡଶିଟ୍‌ ଆଦି ବିକ୍ରି ହୋଇଆସୁଛି। ଏହାବାଦ୍‌ ଚାଷରୁ ଉତ୍ପାଦିତ ପନିପରିବା ଓ ଶାଗ ବଜାରରେ ବିକ୍ରି ହୋଇଥାଏ।