Advertisement

ଏକା ଥରକେ ୩ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଲେ କେନ୍ଦୁଝର ଏମ୍‌ପି

ବଡ଼ବିଲ,୨୧।୩(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଠାକୁରାଣୀସ୍ଥିତ ଓଏମ୍‌ଡିସି (ଓଡ଼ିଶା ମିନେରାଲ୍ସ ଡେଭଲପମେଣ୍ଟ କମ୍ପାନୀ)ରେ କାର୍ଯ୍ୟରତ କର୍ମଚାରୀ ଏବଂ ଶ୍ରମିକଙ୍କୁ ଦୀର୍ଘ ୮ ମାସ ହେଲା ଦରମା ପ୍ରଦାନ କରାଯାଉ ନ ଥିବାରୁ ସେଠାରେ ଆନ୍ଦୋଳନ ଜାରି ରହିଛି। ଏ ନେଇ କେନ୍ଦୁଝର ଏମ୍‌ପି ଅନନ୍ତ ନାଏକଙ୍କ ବଡବିଲ ପ୍ରତିନିଧି ନୀଳମଣି ମହାନ୍ତି ଏମ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଗୁରୁବାର ଏମ୍‌ପି ନାଏକଙ୍କ ସହିତ ପ୍ରତିନିଧି ନୀଳମଣି ନୂଆଦିଲ୍ଲୀ ଯାଇ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚ୍‌ଡି କୁମାର ସ୍ବାମୀଙ୍କୁ ଭେଟି କର୍ମଚାରୀଙ୍କ ସମସ୍ୟାର ତୁନନ୍ତ ସମାଧାନ କରିବାକୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ସେହିପରି ଏମ୍‌ପି ନାଏକ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଥିଲେ। ସାକ୍ଷାତ ବେଳେ ଏମ୍‌ପି ନାଏକ ରେଳ ଯାତ୍ରୀଙ୍କ ସୁବିଧା ନିମନ୍ତେ ହାଓଡା-ବଡବିଲ ଜନଶତାବ୍ଦୀ ଏକ୍ସପ୍ରେସ ଟ୍ରେନର ସମୟ ସାରଣୀ ଅନୁଯାୟୀ ଯାତାୟାତକୁ ସୁରୁଖୁରୁ କରିବା ସହ ଅଘୋଷିତ ଟ୍ରେନ ବାତିଲକୁ ଏଡାଇବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ମନ୍ତ୍ରୀ ବୈଷ୍ଣବଙ୍କୁ କହିବା ସହ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ।

ସେହିପରି କେନ୍ଦ୍ରଶ୍ରମ ନିଯୁକ୍ତି ବିଭାଗ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟଙ୍କୁ କେନ୍ଦୁଝର ଏମ୍‌ପି ନାଏକ ଓ ତାଙ୍କ ପ୍ରତିନଧି ଭେଟି କେନ୍ଦୁଝର ଜିଲା ଯୋଡାଠାରେ ଏକ ଇଏସ୍‌ଆଇ ହସ୍ପିିଟାଲର ଊନ୍ନତିକରଣ କରାଯାଇ ଖଣି ଅଞ୍ଚଳର ଜନସାଧାରଣଙ୍କ ନିମନ୍ତେ ୧୦୦ ଶର୍ଯ୍ୟା ବିଶିଷ୍ଟ ସୁପର ସ୍ପେସାଲିଟି ହସ୍ପିଟାଲ ଖୋଲିବାକୁ କହିବା ସହ ଏକ ଦାବିପତ୍ର ପ୍ରଦାନ କରିଥିଲେ। ତେବେ ଆଗାମୀ ଦିନରେ ଯୋଡ଼ା-ବଡବିଲ ଖଣି ଅଞ୍ଚଳର ସମସ୍ତ ସମସ୍ୟା ଉପରେ ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କେନ୍ଦୁଝର ଏମପିଙ୍କ ପ୍ରତିନିଧି ନୀଳମଣି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel