Categories: ଖେଳ

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ ଝଟ୍‌କା

ନୂଆଦିଲ୍ଲୀ,୧୦।୬: ଶୁକ୍ରବାରଠାରୁ ଟ୍ରେଣ୍ଟବ୍ରିଜ୍‌ରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡ ଟିମ୍‌କୁ ବଡ଼ ଝଟ୍‌କା ଲାଗିଛି। ଦଳର ଅଧିନାୟକ କେନ ଓ୍ବିଲିୟମସନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିଯୋଗୁ ସେ ମୁକାବିଲାରୁ ବାହାର ହୋଇଛନ୍ତି। ତାଙ୍କ ଅନୁପସ୍ଥିତିରେ ଟମ ଲାଥାମ ଦଳର ଅଧିନାୟକ ହେବେ। ସେହିଭଳି ଓ୍ବିଲିୟମସନଙ୍କ ସ୍ଥାନରେ ହମିଶ ରଦରଫୋର୍ଡ ଦଳରେ ସାମିଲ ହେବେ ବୋଲି ଜଣାପଡ଼ିଛି।

ଗୁରୁବାର ଓ୍ବିଲିୟମସନଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଯିବା ପରେ ତାଙ୍କର ର଼୍ୟାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଥିଲା। ପରେ ତାଙ୍କର ନମୂନା ପଜିଟିଭ୍‌ ଆସିଥିଲା। ଫଳରେ ସେ ଏବେ ୫ ଦିନ ଯାଏ ପୃଥକାବାସରେ ରହିବେ। ସେହିଭଳି ଦଳର ଅନ୍ୟ ଖେଳାଳିଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି।

Share