ଜୟପୁର,୧୬।୧୧: ଆସନ୍ତା ବୁଧବାରଠାରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ରୁ ଓହରି ଯାଇଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନ। ଟି୨୦ ସିରିଜ୍ ପରେ ହେବାକୁ ଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍କୁ ଗୁରୁତ୍ୱ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି।
ଓ୍ବିଲିୟମସନଙ୍କ ଅନୁପସ୍ଥିତିରେ ବରିଷ୍ଠ ପେସର ଟିମ୍ ସୌଦି ଦଳର ନେତୃତ୍ୱ ନେବେ। କାଇଲ ଜେମିସନ, ଡାରଲି ମିଚେଲ, ଗ୍ଲେନ ଫିଲିପ୍ସ ଓ ମିଚେଲ ସାଣ୍ଟନର ଉଭୟ ସିରିଜ୍ ଲାଗି ଉପଲବ୍ଧ ରହିବେ। ଗୋଇଠି ଜନିତ ଆହତ ସମସ୍ୟା ଦେଇ ଗତି କରୁଥିବା ପେସର ଲୋକି ଫର୍ଗୁସନ ଟି୨୦ ସିରିଜ୍ରେ ଖେଳିବେ ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି।
ବୁଧବାର ଟି୨୦ ସିରିଜ୍ର ପ୍ରଥମ ମ୍ୟାଚ୍ ଜୟପୁରରେ ଖେଳାଯିବ। ସିରିଜ୍ର ବଳକା ଦୁଇଟି ମ୍ୟାଚ୍ ଶୁକ୍ରବାର ଓ ରବିବାର ଯଥାକ୍ରମେ ରାଞ୍ଚି (ନଭେମ୍ବର ୧୯) ଓ କୋଲକାତା (୨୧ ତାରିଖ)ରେ ଖେଳାଯିବାର ଅଛି।