ବଲିଉଡ୍‌ ତାରକାଙ୍କୁ ମୂର୍ଖ କହିଲେ କଙ୍ଗନା

ମୁମ୍ବାଇ: ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାଓ୍ବତ ରବିବାର ପୁଣିଥରେ ବଲିଉଡ୍‌ ତାରକାମାନଙ୍କୁ ଟାର୍ଗେଟ କରିଛନ୍ତି। ମୋଟିଭେଶ୍‌ନାଲ ସ୍ପିକର ରାଜ ଶାମନୀଙ୍କ ପୋଡ୍‌କାଷ୍ଟ ପ୍ରୋଗ୍ରାମରେ ଯୋଗଦେଇ କଙ୍ଗନା ବଲିଉଡ୍‌ ତାରକାମାନଙ୍କର ଜୀବନଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ବଲିଉଡ୍‌ରେ ଚଳିପାରିବା ଭଳି ବ୍ୟକ୍ତି ନୁହନ୍ତି ଏବଂ କୌଣସି ବଲିଉଡ୍‌ ସେଲିବ୍ରିଟିଙ୍କ ସହ ତାଙ୍କର ବନ୍ଧୁତା ସମ୍ଭବ ନୁହେଁ ବୋଲି କଙ୍ଗନା କହିଛନ୍ତି। ସେହିପରି ବିଭିନ୍ନ ବଲିଉଡ୍‌ ପାର୍ଟିରେ ତାଙ୍କର ଅଭିଜ୍ଞତା ଅତ୍ୟନ୍ତ ଖରାପ ରହିଛି। କଙ୍ଗନା କହିଛନ୍ତି, ବଲିଉଡ୍‌ ସେଲିବ୍ରିଟିମାନେ ହେଉଛନ୍ତି ସବୁଠୁ ବଡ଼ ମୂର୍ଖ ଓ ବୋକା। ବ୍ରାଣ୍ଡେଡ୍‌ ବ୍ୟାଗ୍‌ ଓ କାର୍‌ ବ୍ୟତୀତ ଏହି ସେଲିବ୍ରିଟିମାନେ ଆଉ କିଛି ଜାଣନ୍ତି ନାହିଁ। ଏହିପରି ସେ ଅନେକ ବଲିଉଡ୍‌ ତାରକାଙ୍କୁ ଜାଣିଛନ୍ତି ବୋଲି କଙ୍ଗନା ଉକ୍ତ ସାକ୍ଷାତ୍‌କାରରେ କହିଛନ୍ତି। ଯଦି ବଲିଉଡ୍‌ ସେଲିବ୍ରିଟିମାନଙ୍କର କୌଣସି ଶୁଟିଂ ନ ଥାଏ ତେବେ ସେମାନଙ୍କର ଦିନଚର୍ଯ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ ବୋଲି କଙ୍ଗନା କହିଛନ୍ତି। ସେମାନେ ସକାଳେ ଉଠନ୍ତି, କିଛି ବ୍ୟାୟାମ କରନ୍ତି, ଦ୍ୱିପ୍ବହର ସମୟରେ ଖାଇ ପୁଣି ଶୋଇଯାଆନ୍ତି। ସାବେଳେ ଉଠି ଜିମ୍‌ ଯାଆନ୍ତି। ବିଳମ୍ବିତ ରାତ୍ରି ଯାଏ ବିଭିନ୍ନ ପାର୍ଟିରେ ଯୋଗଦେଇ ମଦ୍ୟପାନ କରନ୍ତି।

Share