Categories: ଜାତୀୟ

‘ଗୋଟିଏ ଗାଲରେ ଚାପୁଡ଼ା ବାଜିଲେ, ଅନ୍ୟ ଗାଲ ଦେଖାଇବା କ’ଣ ଭିକ ନୁହେଁ’

ନୂଆଦିଲ୍ଲୀ,୧୬।୧୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅହିଂସା ମନ୍ତ୍ର ଥିଲା, ‘ଗୋଟିଏ ଗାଲରେ ଚାପୁଡ଼ା ବାଜିଲେ, ଅନ୍ୟ ଗାଲ ଦେଖାଅ’। ଏହା ଦ୍ୱାରା ଭିକ ମିଳିବ, ସ୍ବାଧୀନତା ନୁହେଁ। ଏଭଳି ସ୍ବରରେ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି ବଲିଉଡ୍‌ର ବିବାଦୀୟ ଅଭିନେତ୍ରୀ କଙ୍ଗନା ରାନାଓ୍ବତ।

ଗତ ସପ୍ତାହରେ ରାନାଓ୍ବତ କହିଥିଲେ, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର କେନ୍ଦ୍ରରେ ଆସିବା ପରେ ୨୦୧୪ରେ ଦେଶବାସୀଙ୍କୁ ଅସଲ ସ୍ବାଧୀନତା ମିଳିଥିଲା। ଏଥିପୂର୍ବରୁ ମିଳିଥିବା ସ୍ବାଧୀନତାକୁ ସେ ଭିକ ବୋଲି କହିଥିଲେ। ଏଥି ଲାଗି ବିଭିନ୍ନ ମହଲରୁ ସମାଲୋଚିତ ହେଉଥିବା ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଏକ ପୁରୁଣା ନ୍ୟୁଜ କ୍ଲିପ୍‌ ‘ଗାନ୍ଧୀ, ଅନ୍ୟମାନେ ନେତାଜୀଙ୍କୁ ଧରାଇ ଦେବା ପାଇଁ ରାଜିନାମା କରିଥିଲେ’ ଶେୟାର କରିଛନ୍ତି। ଉକ୍ତ ରିପୋର୍ଟରେ ଦାବି କରାଯାଇଛି, ନେତାଜୀ ସୁବାସ ଚନ୍ଦ୍ର ବୋଷ ଭାରତରେ ପ୍ରବେଶ କରିବାକୁ ଉଦ୍ୟମ କଲେ, ତାଙ୍କୁ ବ୍ରିଟିଶ ସେନା ହାତରେ ଧରାଇ ଦେବାକୁ ଗାନ୍ଧୀଙ୍କ ସହ ଜଓ୍ବାହରଲାଲ ନେହରୁ ଓ ମହମ୍ମଦ ଅଲି ଜିନ୍ନା ବ୍ରିଟିଶ ଜଜ୍‌ଙ୍କ ସହ ଏକ ଚୁକ୍ତି କରିଥିଲେ।

ଅନ୍ୟ ଏକ ପୋଷ୍ଟରେ ସେ ଲେଖିଛନ୍ତି, ସ୍ବାଧୀନତା ପାଇଁ ଯେଉଁମାନେ ଅସଲ ଲଢ଼େଇ କରିଥିଲେ, ସେମାନଙ୍କୁ କ୍ଷମତା ଲୋଭିମାନେ ବ୍ରିଟିଶ ହାତରେ ଟେକି ଦେଇଥିଲେ। ଗୋଟିଏ ଗାଲରେ ଚାପୁଡ଼ା ବାଜିଲେ, ଅଧିକ ଚାପୁଡ଼ା ପାଇଁ ଅନ୍ୟ ଗାଲ ଦେଖାଇବା ଲାଗି ସେମାନେ ଆମକୁ ଶିକ୍ଷା ଦେଇଥିଲେ। ଏହା ଦ୍ୱାରା କେଉଁ ଭଳି ଜଣଙ୍କୁ ସ୍ବାଧୀନତା ମିଳିପାରିବ। ଜଣଙ୍କୁ ଏଭଳି ଉପାୟରେ ଭିକ ମିଳିପାରେ।

Share