ଦୀପିକାଙ୍କୁ କଙ୍ଗନାଙ୍କ ପ୍ରଶଂସା

ମୁମ୍ବାଇ: ଆମେରିକାର ଡଲ୍‌ବି ଥିଏଟରରେ ୯୫ତମ ଓସ୍କାର ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ଦୀପିକା ପାଦୁକୋନ୍‌ ଉପସ୍ଥାପିକା ଭାବେ ପ୍ରତିନିଧିତ୍ୱ କରିଥିଲେ, ଯାହା ଦେଶ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ଏଥିସହ ଭାରତୀୟ ୨ ଚଳଚ୍ଚିତ୍ର ଓସ୍କାର ବିଜୟୀ ହେବା ବିଶ୍ୱ ଦରବାରରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଦୀପିକା ଓସ୍କାର ମଞ୍ଚରେ ଦେଶକୁ ପ୍ରତିନିଧିତ୍ୱ କରୁଥିବାବେଳେ ସେ ସମସ୍ତ ହୃଦୟ ଜିଣିବାରେ ସକ୍ଷମ ହୋଇଥିଲେ। ସବୁବେଳେ ବଲିଉଡ୍‌ କଳାକାରଙ୍କୁ ଟାର୍ଗେଟ୍‌ କରୁଥିବା ଅଭିନେତ୍ରୀ କଙ୍ଗନା ରଣାୱତ୍‌ ଦୀପିକାଙ୍କ ପ୍ରତିନିଧିତ୍ୱକୁ ଟୁଇଟ୍‌ ମାଧ୍ୟମରେ ପ୍ରଶଂସା କରିଛନ୍ତି। ସେ ଓସ୍କାର ମଞ୍ଚରୁ ଦୀପିକାଙ୍କ ଭାଷଣର ଏକ ଭିଡିଓ କ୍ଲିପ୍‌କୁ ଶେୟାର କରି ଏକ ଭିନ୍ନ ଅନ୍ଦାଜରେ ତାଙ୍କୁ ପ୍ରଶଂସା କରିଛନ୍ତି। ସେ ଲେଖିଛନ୍ତି, ଦୀପିକା ଏହି ବେଶରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ସମଗ୍ର ଦେଶକୁ ଏକାଠି ଧରି ସେଠାରେ ଠିଆହେବା ସମସ୍ତଙ୍କ ପକ୍ଷେ ସହଜ ନୁହେଁ। ଦୀପିକା ନିଜକୁ ସେଠାରେ ଠିଆ କରାଇ ଭାରତୀୟ ମହିଳାମାନେ ସବୁଠୁ ଶ୍ରେଷ୍ଠ ବୋଲି ପ୍ରମାଣ କରିଛନ୍ତି। ଏଥିସହ ତାଙ୍କୁ ଅନେକ ଅଭିନେତ୍ରୀ ଓ ଅଭିନେତା ପ୍ରଶଂସା କରିଛନ୍ତି। ତେବେ ପୂର୍ବରୁ ଦୀପିକା ଏକମାତ୍ର ଅଭିନେତ୍ରୀ ଭାବେ କାତାରରେ ଆୟୋଜିତ ହୋଇଥିବା ଫୁଟବଲ୍‌ ମ୍ୟାଚର ଟ୍ରଫି ଉନ୍ମୋଚନ କରି ଭାରତର ନାମ ରଖିଥିଲେ। ଏଥିସହ ପ୍ୟାରିସ୍‌ ଫ୍ୟାଶନ୍‌ ୱିକ୍‌ରେ ମଧ୍ୟ ସେ ଯୋଗଦେଇଥିବାବେଳେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜୁରି ମେମ୍ବର ଭାବେ ଉପସ୍ଥିତ ଥିଲେ।

Share