ଆସନ୍ତା ବର୍ଷ ରିଲିଜ ହେବ ଏମରଜେନ୍ସି

ମୁମ୍ବାଇ: ବଲିଉଡର ସବୁଠାରୁ ଧାକଡ ଅଭିନେତ୍ରୀ ଭାବରେ ବିବେଚିତ କଙ୍ଗନା ରାନାୱତ ‘ଏମରଜେନ୍ସି’ ମୁଭି ନିର୍ମାଣ ବିଷୟରେ ଆଲୋଚନା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଜରୁରୀକାଳୀନ କାହାଣୀକୁ ଚିତ୍ରଣ କରୁଥିବା ଏହି ମୁଭିଟି ହେଉଛି କଙ୍ଗନାଙ୍କ ଡିରେକ୍ଟୋରିଆଲ ଡେବ୍ୟୁ ମୁଭି, ଯାହାର ରିଲିଜକୁ ନେଇ ସେ ବହୁତ ଉତ୍ସାହିତ ଥିଲେ। ପ୍ରଶଂସକମାନେ ମଧ୍ୟ ଉତ୍ସାହିତ ଥିଲେ କି ଡିରେକଶନ କ୍ଷେତ୍ରରେ କଙ୍ଗନାଙ୍କ ଆର୍ଟ କିପରି ରହିଛି। କିନ୍ତୁ ବର୍ତ୍ତମାନ ଅଭିନେତ୍ରୀ ଏକ ନିରାଶାଜନକ ଖବର ଶେୟାର କରିଛନ୍ତି।

ଫିଲ୍ମ ‘ତେଜସ’ ପାଇଁ ଆଜିକାଲି କଙ୍ଗନା ରାନାଓ୍ବତ ଲାଇମ ଲାଇଟରେ ଅଛନ୍ତି। ଏହି ଫିଲ୍ମ କିଛି ଦିନ ମଧ୍ୟରେ ରିଲିଜ ହେବାକୁ ଯାଉଛି। ଏଥିରେ କଙ୍ଗନାଙ୍କୁ ବାୟୁସେନା ପାଇଲଟ ଭୂମିକାରେ ଦେଖିବାକୁ ମିଳିବ। ଭିନ୍ନ ଭିନ୍ନ ସେଡସ୍‌ରେ ଅଭିନୟ କରୁଥିବା କଙ୍ଗନା ଏମରଜେନ୍ସି ଫିଲ୍ମରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମ ଚଳିତ ବର୍ଷ ନଭେମ୍ବରରେ ରିଲିଜ ହେବାର ଥିଲା। ଏହାର ଅର୍ଥ କଙ୍ଗନା ସଲମାନ ଖାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ଥିଲେ। କିନ୍ତୁ ବର୍ତ୍ତମାନ ସେ ଫିଲ୍ମ ରିଲିଜକୁ ନେଇ ନିଜର ମତ ବଦଳାଇଛନ୍ତି। ଅଭିନେତ୍ରୀ ‘ଏମରଜେନ୍ସି’ ରିଲିଜ ତାରିଖକୁ ସ୍ଥଗିତ ରଖିଛନ୍ତି।
କଙ୍ଗନା ଏହି ପୋଷ୍ଟକୁ ଶେୟାର କରି କହିଛନ୍ତି, ମୋର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ଅଛି। ଏମରଜେନ୍ସି ମୁଭି ହେଉଛି ଏକ କଳାକାର ଭାବରେ ମୋ ଜୀବନର ଶିକ୍ଷା ଏବଂ ସଂଗ୍ରହରୁ ନିର୍ମିତ ଏକ ମୁଭି। ଏହା କେବଳ ମୋ ପାଇଁ ଏକ ମୁଭି ନୁହେଁ ବରଂ ଏହା ମୋର ଦକ୍ଷତା ଏବଂ ଚରିତ୍ରର ଏକ ପରୀକ୍ଷା ମଧ୍ୟ। ଆମେ ଟିଜରରୁ ପାଇଥିବା ପ୍ରତିକ୍ରିୟା ଏବଂ ଅନ୍ୟାନ୍ୟ ଜିନିଷ ଆମକୁ ପ୍ରେରଣା ଦେଲା। ମୋର ହୃଦୟରେ ମୋର ବହୁତ ଭଲପାଇବା ଅଛି ଏବଂ ମୁଁ ଯେଉଁଆଡ଼େ ଯାଉଛି, ଲୋକମାନେ ମୋତେ ଏମରଜେନ୍ସିର ରିଲିଜ ଡେଟ ବିଷୟରେ ପଚାରୁଛନ୍ତି।
କଙ୍ଗନା ଆହୁରି ଲେଖିଛନ୍ତି, ଆମେ ୨୪ ନଭେମ୍ବର ଏମରଜେନ୍ସିର ରିଲିଜ ଡେଟ ଘୋଷଣା କରିଥିଲୁ, କିନ୍ତୁ ମୋର ବ୍ୟାକ ଟୁ ବ୍ୟାକ ଫିଲ୍ମ ରିଲିଜ ହେଉଛି ଏବଂ ୨୦୨୪ର କ୍ୱାଟର ବି ଓଭର ପ୍ୟାକ ରହିଛି। ତେଣୁ ଆମେ ଆସନ୍ତା ବର୍ଷ ଏମରଜେନ୍ସି ରିଲିଜ କରିବାକୁ ଯୋଜନା କରିଛୁ। ଫିଲ୍ମର ନୂଆ ରିଲିଜ ଡେଟ କ’ଣ ତାହା କଙ୍ଗନା କହି ନାହାଁନ୍ତି, କିନ୍ତୁ ଚଳିତ ବର୍ଷ ଫିଲ୍ମ ରିଲିଜ ହେବ ନାହିଁ ଏହା ଏକ ନିଶ୍ଚିତ ସୂଚନା।

Share