ଆମିରଙ୍କୁ ବିଚାରା ବୋଲି କହିଲେ କଙ୍ଗନା, ନେଉନାହାନ୍ତି ଦୀପିକାଙ୍କ ନାଁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ସବୁବେଳେ ତାଙ୍କ ବେକାବୁ ବୟାନକୁ ନେଇ ଆସିଥାଆନ୍ତି ଚର୍ଚ୍ଚାକୁ । ନିକଟରେ କଙ୍ଗନା ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କୁ ଟାର୍ଗେଟ କରି ଆସିଛନ୍ତି ଚର୍ଚ୍ଚାକୁ । କଙ୍ଗନା ମୁମ୍ବାଇରେ ତାଙ୍କ ବୁକ ଲଞ୍ଚ ଇମେଣ୍ଟରେ ଆମିର ଖାଁ ଓ ଲେଖିକା ଶୋଭା ଦେଙ୍କ ଏକ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ଉଭୟ କଳାକାର ଚର୍ଚ୍ଚା କରୁଛନ୍ତି ଯେ ତାଙ୍କ ବାୟୋପିକରେ ଲେଖକ ଭୂମିକା କିଏ କରିବ । ଏହାର ଜବାବରେ ଆମିର ଖାଁ ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା ଓ ଆଲିଆ ଭଟ୍ଟଙ୍କ ନାଁ ନେଇ କହୁଛନ୍ତି, ତାଙ୍କ ମୁଣ୍ଡରେ ଏମାନେ ସବୁଠାରୁ ଆଗରେ ରହିଛନ୍ତି । ଏହି ଉତ୍ତର ଶୁଣିବା ପରେ ଶୋଭା ଦେ ଆମିରଙ୍କୁ ଅଧାରୁ ଅଟକାଇ ଦେଇ କହୁଛନ୍ତି, ସେ କଙ୍ଗନାଙ୍କୁ ଭୁଲି ଯାଉଛନ୍ତି, କାରଣ ତାଙ୍କ ମତରେ ତାଙ୍କ ଚରିତ୍ରକୁ ପରଦାରେ ଫୁଟାଇବାରେ କଙ୍ଗନା ଭଲ କଳାକାର ହେବେ । କାରଣ ତାଙ୍କ ପାଖରେ ସେହିଭଳି ‘ପାଗଲପନ’ ରହିଛି ଯାହା ଚରିତ୍ର ଆବଶ୍ୟକ କରୁଛି ।
ଶୋଭାଙ୍କ ମୁହଁରୁ କଙ୍ଗନାଙ୍କ ନାଁ ଶୁଣିବା ପରେ ଆମିର କହୁଛନ୍ତି, ହଁ ସେ ବି ଏହି ଚରିତ୍ରକୁ ଭଲ ଭାବେ ଦର୍ଶକଙ୍କ ନିକଟରେ ପହଞ୍ଚାଇ ପାରିବେ । କଙ୍ଗନା ଏହାକୁ ଜଷ୍ଟିଶ ଦେଇପାରିବେ । ସେ ଜଣେ ବଳିଷ୍ଠ ଅଭିନେତ୍ରୀ, ସେ ବହୁମୁଖୀ ପ୍ରତିଭା । ଶୋଭା ଦେ କହିଥିଲେ ଥାଲାଇଭିରେ କଙ୍ଗନାଙ୍କ କାମ ତାଙ୍କୁ ଖୁବ୍ ପସନ୍ଦ ଆସିଛି । ତେବେ ଆମିରଙ୍କ ଏହି କଥାକୁ କଙ୍ଗନା ହଜମ କରି ପାରିନାହାନ୍ତି । ଟୁଇଟ କରି ଏହାର ଜବାବ ଦେବାକୁ ଯାଇ ଆମିରଙ୍କୁ କଙ୍ଗନା କହିଛନ୍ତି ବିଚାରା । କଙ୍ଗନା ଲେଖିଛନ୍ତି, ତାଙ୍କ ନାଁ ନ ନେବାକୁ ଆମିର ଯେତେ ଚେଷ୍ଟା କଲେ ବି ପାରିଲେ ନାହିଁ । ସେ ବୋଧହୁଏ ଭୁଲିଯାଇଥିଲେ, ଯେ ମୁଁ ହେଉଛି ସେହି ଅଭିନେତ୍ରୀ ଯିଏ ୩ ଥର ରାଷ୍ଟ୍ରୀୟ ପୁରସ୍କାର ବିଜୟିନି ହୋଇଛି । କଙ୍ଗନା ଆହୁରି ମଧ୍ୟ ଦୀପିକା ଓ ଆଲିଆଙ୍କ ଆଡକୁ ଇସାରା କରି କହିଛନ୍ତି, ଯେଉଁ ଅଭିନେତ୍ରୀଙ୍କ କଥା ସେ ଉଲ୍ଲେଖ କଲେ ସେମାନଙ୍କ ମଧ୍ୟରୁ ଜଣେବି ନୁହନ୍ତି ।
ଆଉ ଏକ ଟୁଇଟରେ କଙ୍ଗନା ଶୋଭା ଦେଙ୍କ ପ୍ରଶଂସା କରିଛନ୍ତି । କଙ୍ଗନା କହିଛନ୍ତି ମୋ ପରିଶ୍ରମର ମୂଲ୍ୟ ବୁଝିଛନ୍ତି ଓ ପରଖିଛନ୍ତି ଦେ । ଏହାସହ ତାଙ୍କ ନୂଆ ପୁସ୍ତକ ପାଇଁ ଶୁଭକାମନା ଦେଇଛନ୍ତି ।

Share