ବଲିଉଡ ପୁରସ୍କାରକୁ ଏକ ‘ବଡ ଠକେଇ’ କହିଲେ କଙ୍ଗନା

ମୁମ୍ବାଇର ତାଜ୍‌ ଲାଣ୍ଡସ୍‌ ଏଣ୍ଡରେ ଦାଦା ସାହେବ ଫାଲକେ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଯାଇଛି। ହିନ୍ଦୀ ଫିଲ୍ମ ‘ଗଙ୍ଗୁବାଈ କାଥିଆଓ୍ବାଡି’ ପାଇଁ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ଅନ୍ୟପକ୍ଷେ ବଲିଉଡ୍‌ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ପ୍ରଥମ ସଂସ୍କରଣ ପାଇଁ ସ୍ବାମୀ ରଣବୀର କପୁରଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନରେ ସମ୍ମାନିତ କରାଯାଇଛି। ରଣବୀର ଏବଂ ଆଲିଆ ପ୍ରମୁଖ ପୁରସ୍କାର ଗ୍ରହଣ କରିବାର କିଛି ଘଣ୍ଟା ପରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଇନଷ୍ଟାଗ୍ରାମରେ ପୋଷ୍ଟ ଜରିଆରେ ଆପତ୍ତି ଉଠାଇଥିଲେ। ଏହା ସହିତ ଅଭିନେତ୍ରୀ ଦାବି କରିଛନ୍ତି ଯେ ‘ନେପୋ ମାଫିଆ ସମସ୍ତଙ୍କ ଅଧିକାର ଛଡ଼ାଇ ନେଇଛନ୍ତି’।
କଙ୍ଗନା ଲେଖିଛନ୍ତି, ନେପୋ ମାଫିଆ ସମସ୍ତଙ୍କ ଅଧିକାର ଛଡ଼ାଇବା ପୂର୍ବରୁ ପୁରସ୍କାର ତାଲିକା ଏଠାରେ ଅଛି। ମୁଁ ଚଳିତ ବର୍ଷର ଶ୍ରେଷ୍ଠ ଅଭିନେତା ରିଷଭ ଶେଟ୍ଟୀ (କାନ୍ତରା), ଶ୍ରେଷ୍ଠ ଅଭିନେତ୍ରୀ-ମୃନାଲ ଠାକୁର (ସୀତା ରାମ), ଶ୍ରେଷ୍ଠ ଚଳଚ୍ଚିତ୍ର- କାନ୍ତାରା, ଶ୍ରେଷ୍ଠ ନିର୍ଦ୍ଦେଶକ – ଏସ ରାଜାମୌଲି (ଆରଆରଆର), ଶ୍ରେଷ୍ଠ ସହାୟକ ଅଭିନେତା – ଅନୁପମ ଖେର (କଶ୍ମୀର ଫାଇଲ), ଶ୍ରେଷ୍ଠ ସହାୟକ ଅଭିନେତ୍ରୀ – ତବୁ (ଭୁଲ ଭୁଲେୟା)ଙ୍କୁ ପୁରସ୍କାର ଦେବି। ଏମାନେ ହିଁ ପ୍ରକୃତ ପୁସ୍କାର ଦାବିଦାର ବୋଲି କଙ୍ଗନା କହିଛନ୍ତି। କିନ୍ତୁ ଏମାନଙ୍କୁ ପୁରସ୍କାର ଦିଆଯାଇ ନାହିଁ।
ଅନ୍ୟ ଏକ ପୋଷ୍ଟରେ କଙ୍ଗନା ଲେଖିଛନ୍ତି, ‘ନେପୋ କୀଟମାନେ ମାତାପିତା ନାଁ ଏବଂ ସମ୍ପର୍କୀୟଙ୍କ ନାଁ ବ୍ୟବହାର କରନ୍ତି। କାମ ପାଇବା ପାଇଁ ଯିଏ ଚାଟୁକାର କରନ୍ତି, ଯଦି ଜଣେ ଆତ୍ମନିର୍ଭରଶୀଳ ବ୍ୟକ୍ତି ଆସନ୍ତି, ତେବେ ତାଙ୍କ କ୍ୟାରିଅରକୁ ନଷ୍ଟ କରିଦିଅନ୍ତି। ମୁଁ ବର୍ତ୍ତମାନ ତୁମ ସମସ୍ତଙ୍କୁ ବିନାଶ କରିବାକୁ ସଂକଳ୍ପବଦ୍ଧ।
ଦାଦା ସାହେବ ଫାଲକେ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ୨୦୨୨ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଗଙ୍ଗୁବାଈ କାଥିଆଓ୍ବାଡି’ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ନେଇ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହାର ନିର୍ଦ୍ଦେଶନା ସଞ୍ଜୟ ଲିଲା ବଂଶାଲୀ ଦେଇଥିଲେ। ସେହିପରି ୮୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ରେଖାଙ୍କୁ ‘ଆଉଟ୍‌ଷ୍ଟାଣ୍ଡିଂ କଣ୍ଟ୍ରିବ୍ୟୁଶନ୍‌ ଇନ୍‌ ଦ ଫିଲ୍ମ ଇଣ୍ଡଷ୍ଟ୍ରି’ କାଟେଗୋରିରେ ସମ୍ମାନିତ କରାଯାଇଛି। ଦାଦା ସାହେବ ଫାଲକେ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ବଲିଉଡ୍‌ ଜଗତର ବହୁ କଳାକାର ଯୋଗ ଦେଇଥିଲେ।

Share