‘ମୁଁ ବକ୍ସ ଅଫିସ୍‌ କୁଇନ୍‌’

ନିକଟରେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଭିନୀତ ଫିଲ୍ମ ‘ଧାକଡ’ ବକ୍ସ ଅଫିସରେ ଫ୍ଲପ୍‌ ସାବ୍ୟସ୍ତ ହୋଇଛି। ଫିଲ୍ମଟି ଫ୍ଲପ୍‌ ହେବା ପରେ କଙ୍ଗନା ମୁହଁ ଖୋଲିଛନ୍ତି। ଇନ୍‌ଷ୍ଟା ଷ୍ଟାଟସ୍‌ରେ ସେ ଫିଲ୍ମ ‘ଧାକଡ’କୁ ସିଧାସଳଖ ଫ୍ଲପ୍‌ ବୋଲି କହି ନାହାନ୍ତି, ବରଂ ନିଜକୁ ଭାରତର ବକ୍ସ ଅଫିସର କୁଇନ୍‌ ବୋଲି କହିଛନ୍ତି। ସେ ତାଙ୍କ ଇନ୍‌ଷ୍ଟା ଷ୍ଟାଟସ୍‌ରେ ପୂର୍ବ ଫିଲ୍ମର ହିଟ୍‌ ଫିଗରଗୁଡ଼ିକୁ ଦେଇ ଏ ବର୍ଷ ଆଉ ବାକି ଅଛି ବୋଲି କହିଛନ୍ତି।
କଙ୍ଗନା ଲେଖିଛନ୍ତି, ୨୦୧୯ରେ ମୁଁ ସୁପରହିଟ ଫିଲ୍ମ ମଣିକର୍ଣ୍ଣିକା ଦେଇଥିଲି, ଯାହା ୧୬୦ କୋଟି ଟଙ୍କା ରୋଜଗାର କରିଥିଲା। ୨୦୨୦ରେ କୋଭିଡ୍‌ ଥିଲା। ୨୦୨୧ରେ ମୁଁ ମୋ କ୍ୟାରିୟରର ସବୁଠାରୁ ବଡ଼ ହିଟ୍‌ ଫିଲ୍ମ ଥଲାଇଭି ଦେଇଥିଲି, ଯାହା ଓଟିଟିରେ ରିଲିଜ୍‌ ହୋଇଥିଲା। ୨୦୨୨ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ମୋର ଏହା ଉପରେ ବହୁତ ଆଶା ଅଛି। ସୁପରଷ୍ଟାର କଙ୍ଗନା ହେଉଛନ୍ତି ଭାରତର ବକ୍ସ ଅଫିସ କୁଇନ୍‌।
ଉଭୟ କଙ୍ଗନାଙ୍କ ‘ଧାକଡ’ ଏବଂ କାର୍ତ୍ତିକ ଆର୍ଯ୍ୟାନଙ୍କ ‘ଭୁଲ୍‌ ଭୁଲେୟା-୨’ ମେ ୨୦ରେ ମୁକ୍ତିଲାଭ କରିଥିଲା। ‘ଭୁଲ୍‌ ଭୁଲେୟା-୨’ ଏ ପର୍ଯ୍ୟନ୍ତ ପ୍ରାୟ ୧୫୦ କୋଟି ଟଙ୍କା ଆୟ କରିଥିବାବେଳେ କଙ୍ଗନାଙ୍କ ଫିଲ୍ମ ଏକ କୋଟିରେ ମଧ୍ୟ ପହଞ୍ଚିବାରେ ବିଫଳ ହୋଇଥିଲା। କଙ୍ଗନାଙ୍କୁ ଖୁବ୍‌ଶୀଘ୍ର ଫିଲ୍ମ ‘ତେଜସ’ରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ କଙ୍ଗନା ଭାରତୀୟ ବାୟୁସେନାର ଯୁଦ୍ଧବିମାନ ପାଇଲଟ ଭୂମିକାରେ ନଜର ଆସିବେ।

Share