ପିତାଙ୍କ ସହ ଦୀର୍ଘବର୍ଷ ଧରି କଥାବାର୍ତ୍ତା ବନ୍ଦ କରିଦେଇଥିଲେ କଙ୍ଗନା, କାରଣ ଜାଣିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଫିଲ୍ମ ବ୍ୟତୀତ ସେ ଅହଂକାର ଯୋଗୁ ଚର୍ଚ୍ଚାରେ ରହିଥାନ୍ତି। କଙ୍ଗନା ହିମାଚଳ ପ୍ରଦେଶର ମାଣ୍ଡି ଜିଲା ନିକଟ ସୁରଜପୁର (ଭବଲା)ରେ ଜନ୍ମଗ୍ରହଣ କରିଥିଲେ। ସେ ୨୩ ମାର୍ଚ୍ଚରେ ତାଙ୍କର ୩୫ ତମ ଜନ୍ମଦିନ ପାଳନ କରିବେ। ଏହି ଖାସ୍‌ ଦିନ ପୂର୍ବରୁ ତାଙ୍କ ଜୀବନରେ ଘଟିଥିବା କିଛି ଘଟଣା ସମ୍ପର୍କରେ ଜାଣନ୍ତୁ…

କଙ୍ଗନା ଆଜି ଜଣେ ପ୍ରସିଦ୍ଧ ଅଭିନେତ୍ରୀ। ମାତ୍ର ତାଙ୍କ ପିତା ଅମରଦୀପ ରାଣାଓ୍ବତ୍‌ କଙ୍ଗନା ଅଭିନେତ୍ରୀ ହୁଅନ୍ତୁ ବୋଲି ଚାହୁଁ ନ ଥିଲେ। ସେ କଙ୍ଗନାଙ୍କୁ ଡାକ୍ତର କରିବାକୁ ଚାହୁଁଥିଲେ। ତେଣୁ ତାଙ୍କୁ ଚଣ୍ଡିଗଡ଼ର ଡିଏଭି ସ୍କୁଲରେ ନାମ ଲେଖାଇଥିଲେ। କିନ୍ତୁ କଙ୍ଗନା ମେଡିକାଲ ବହି ଆଦୌ ପସନ୍ଦ କରୁ ନ ଥିଲେ।

କଙ୍ଗନା ସ୍କୁଲରେ ପଢୁଥିବା ସମୟରେ ମଡେଲିଂ ପ୍ରତି ତାଙ୍କର ଆଗ୍ରହ ବଢ଼ିବାରେ ଲାଗିଥିଲା। ସେ ସ୍କୁଲ ଯିବା ବନ୍ଦ କରି ହଷ୍ଟେଲ ଛାଡ଼ି ଦେଇଥିଲେ। ଯେତେବେଳେ ତାଙ୍କ ପିତା ଅମରଦୀପ ଏହା ଜାଣିଲେ ସେ କଙ୍ଗନାକୁ ଖୁବ୍‌ ପିଟିଥିଲେ।

ଯେତେବେଳେ କଙ୍ଗନା ତାଙ୍କ ପିତାଙ୍କୁ କହିଥିଲେ ଯେ, ସେ ଅଭିନୟ କରିବାକୁ ଚାହୁଁଛନ୍ତି, ସେତେବେଳେ ତାଙ୍କ ପିତା ଖୁବ୍‌ ଜୋର୍‌ରେ ରାଗିଯିବା ସହ ଘରୁ ବାହାରି ଯିବାକୁ କହିଥିଲେ। କଙ୍ଗନା ସେହି ମୁହୂର୍ତ୍ତରେ ଘର ଛାଡ଼ି ଚାଲି ଆସିଥିଲେ। ପାଖରେ ଟଙ୍କାଟିଏ ନ ଥିଲା। ବହୁତ ସଂଘର୍ଷ କରିଥିଲେ। ଏହି କାରଣ ଯୋଗୁ ସେ ତାଙ୍କ ପିତାଙ୍କ ସହ ଦୀର୍ଘବର୍ଷ ଧରି କଥା ହୋଇ ନ ଥିଲେ। କଙ୍ଗନା ଫିଲ୍ମ ‘ଗ୍ୟାଙ୍ଗଷ୍ଟର’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଆଜି ସେ ଜଣେ ସଫଳ ଅଭିନେତ୍ରୀ। ଯେଉଁଥିପାଇଁ ଆଉ କାହାର ପରିଚୟ ଆବଶ୍ୟକତା ନାହିଁ। ବହୁ ବର୍ଷର ପରିଶ୍ରମ ଏବଂ ପ୍ରତିଭା ତାଙ୍କ ନିକଟରେ ଅଛି, ଆଜି ସେ ଜଣେ ପରିଚିତ ନାମ।

Share