ସଂସ୍କୃତ ରାଷ୍ଟ୍ରୀୟ ଭାଷା ହେବା ଉଚିତ: କଙ୍ଗନା

ବମ୍ବେ: ବିଗତ କିଛି ଦିନ ଧରି ହିନ୍ଦୀ ଭାଷାକୁ ନେଇ ବିତର୍କ ଜାରି ରହିଛି। ଏହି ପ୍ରସଙ୍ଗରେ ଅଭିନେତା ଅଜୟ ଦେବଗନ ଏବଂ କିଚା ସୁଦୀପ ମୁହାଁମୁହିଁ ହୋଇଥିଲେ। ହେଲେ ପରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା। ଏବେ ଏହି ବିବାଦରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ନିଜର ଅପକମିଂ ଫିଲ୍ମ ‘ଧାକଡ୍‌’ର ଟ୍ରେଲର୍‌ ଲଞ୍ଚ ଇଭେଣ୍ଟରେ କଙ୍ଗନା କହିଛନ୍ତି, ତାମିଲ, ହିନ୍ଦୀଠାରୁ ବି ପୁରୁଣା। ଏହାଠାରୁ ବି ପୁରୁଣା ଭାଷା ହେଉଛି ସଂସ୍କୃତ। ଏଣୁ ସଂସ୍କୃତ ଆମର ରାଷ୍ଟ୍ରୀୟ ଭାଷା ହେବା ଉଚିତ। ସଂସ୍କୃତ ପ୍ରତିଟି ଭାଷାର ଜନନୀ। ତାମିଲ, କନ୍ନଡ଼, ଗୁଜରାଟୀ ଏବଂ ହିନ୍ଦୀ ଆଦି ଏହି ଭାଷାରୁ ଆସିଛି। ଦକ୍ଷିଣ ଭାରତୀୟ ଲୋକେ ନିଜର ଭାଷା ଏବଂ ସଂସ୍କୃତିକୁ ନେଇ ଗର୍ବ କରନ୍ତି। ଏହା ସମସ୍ତଙ୍କର ଜନ୍ମସିଦ୍ଧ ଅଧିକାର। ହେଲେ ଦେଶକୁ ଯୋଡ଼ି ରଖିବା ଲାଗି ଏକ ସୁତାର ଆବଶ୍ୟକତା ରହିଛି। ହିନ୍ଦୀ ସହି ସୁତା। ବିଦେଶକୁ ଗଲେ ସେଠାକାର ଲୋକମାନେ ମଧ୍ୟ ନିଜର ଭାଷାକୁ ନେଇ ଗର୍ବ କରନ୍ତି। ଦେଶ ଏବଂ ବିଦେଶରେ ଏବେ ଇଂରାଜୀ ସେହି ସୁତା ବୋଲି କହିପାରିବା। ଆଜି ଆମ ଦେଶରେ କଥା ହେବା ଲାଗି ଇଂରାଜୀ ଭାଷାର ବ୍ୟବହାର କରୁଛୁ। ଏବେ ହିନ୍ଦୀ, ସଂସ୍କୃତ, ତାମିଲ ମଧ୍ୟରୁ କିଏ ସୁତା ହେବା ଉଚିତ,ଏହା ଆମକୁ ନିଶ୍ଚିତ କରିବାକୁ ହେବ ବୋଲି ସେ କହିଛନ୍ତି।

Share