ଶିଖ୍ ସେନା ଅଧିକାରୀ ଭୂମିକାରେ ନଜର ଆସିବେ କଙ୍ଗନା

ମୁମ୍ବାଇ: ବେଶ୍ କିଛିଦିନ ହେବ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହୁଥିବା ବଲିଉଡ୍ ନାୟିକା କଙ୍ଗନା ରାନାୱତ ଏଥର କିନ୍ତୁ ନିଜ ପ୍ରୋଜେକ୍ଟକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । ଖୁବ୍‌ଶୀଘ୍ର ତାଙ୍କର କିଛି ନୂଆ ଫିଲ୍ମ ରିଲିଜ୍ ହେବାର ଯୋଜନା ରହିଛି । କିଛିଦିନ ତଳେ ସେ ଭୋପାଳରେ ‘ଧାକଡ’ର ଶୁଟିଂ କରୁଥିବା କଥା ଜଣାପଡିଥିଲା । ଆହୁରି ମଧ୍ୟ କିଛିଦିନ ତଳେ ସେ ତାଙ୍କ ଅଭିନୀତ ଫିଲ୍ମ ‘ତେଜସ୍‌’ ର ଲୁକ୍ ଶେୟାର କରିଥିଲେ । ଏବେ ଏହି ‘ତେଜସ’କୁ ନେଇ କିଛି ଅଧିକ ତଥ୍ୟ ଦେଇଛନ୍ତି ନିଜେ ଅଭିନେତ୍ରୀ କଙ୍ଗନା । ଏବେ ସେ ସୋସିଆଲ ମିଡିଆରେ ଫିଲ୍ମର ଡ୍ରେସ୍ ଶେୟାର କରି ନିଜ ଭୂମିକା ସମ୍ପର୍କରେ କିଛି କହିଛନ୍ତି । ଯେଉଁଥିରେ ତାଙ୍କର ନାଁ ଲେଖାଯାଇଛି । ଏହାକୁ ନେଇ ସେ କହିଛନ୍ତି ‘ତେଜସ’ରେ ସେ ଜଣେ ଶିଖ୍ ବାୟୁସେନା ଅଧିକାରୀ ଭୂମିକାରେ ନଜର ଆସିବେ । ତେବେ ସେ ଯେଉଁ ଫଟୋଟି ଶେୟାର କରିଛନ୍ତି ସେଥିରେ ‘ତେଜସ୍ ଗିଲ୍‌’ ବୋଲି ଲେଖାଯାଇଛି । ଏହାକୁ ନେଇ ସେ ଲେଖିଛନ୍ତି ମୁଁ କେବେ ଭାବି ନ ଥିଲେ ମୋ ପୋଷାକରେ ନିଜ ଚରିତ୍ରର ପୁରାନାମ ପଢିପାରିବି ବୋଲି । ଏହାକୁ ଦେଖିବା ପରେ ମୋତେ ଖୁବ୍ ଖୁସି ଲାଗିଥିଲା ବୋଲି କଙ୍ଗନା କହିଛନ୍ତି । କିଛିଦିନ ତଳେ ସେ ଏହି ଫିଲ୍ମ ସମ୍ପର୍କରେ ସୂଚନା ଦେଇଥିଲେ ବି ନିଜ ଚରିତ୍ର ସମ୍ପର୍କରେ କିଛି କହି ନ ଥିଲେ ।

Share