ଏଫ୍‌ଆଇଆରର ଜବାବ ଦେଲେ କଙ୍ଗନା!

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ନାୟିକା କଙ୍ଗନାଙ୍କ ସମୟ ଏବେ ଭଲ ଚାଲିନାହିଁ । ଶନିବାରଠାରୁ ନବରାତ୍ରୀ ଆରମ୍ଭ ହୋଇଥିଲା ବେଳେ କଙ୍ଗନାଙ୍କ ଆଇନ ଯୁଦ୍ଧ ବି ତାଙ୍କ ପଛରେ ପଡିଯାଇଛି । ବାନ୍ଦ୍ରା କୋର୍ଟ କାଷ୍ଟିଙ୍ଗ ଡାଇରେକ୍ଟର ସାହିଲ ଅଶରଫ ସୟଦଙ୍କ ଅଭିଯୋଗ କ୍ରମେ କଙ୍ଗନା ଓ ତାଙ୍କ ଭଉଣୀଙ୍କ ବିରୋଧରେ ଏଫ୍‌ଆଇଆର୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ଉପରେ ଶନିବାର ମୁମ୍ବାଇ ସ୍ଥିତ ବାନ୍ଦ୍ରା ପୋଲିସ ଷ୍ଟେଶନରେ କଙ୍ଗନା ରାନାୱତ ଓ ତାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲଙ୍କ ବିରୋଧରେ ଏଫ୍‌ଆଇଆର୍ ଦିଆଯାଇଥିଲା । ଏବେ ଏହାର ଜବାବ ଦେଇଛନ୍ତି ଅଭିନେତ୍ରୀ । କଙ୍ଗନା ନବରାତ୍ରୀର ଫଟୋ ଶେୟାର କରି ଶିବସେନାକୁ ଟାର୍ଗେଟ କରିଛନ୍ତି । ସେ ଲେଖିଛନ୍ତି କିଏ କିଏ ନବରାତ୍ରୀରେ ବ୍ରତ ରଖନ୍ତି । ମୁଁ ନବରାତ୍ରୀରେ ବ୍ରତ ରଖିଛି ଆଉ ଏହି ଫଟୋ ଆଜିର ସେଲିବ୍ରେଶନର । ଇତିମଧ୍ୟରେ ମୋ ବିରୋଧରେ ଏଫ୍‌ଆଇଆର୍ ଦିଆଯାଇଛି । ଲାଗୁଛି ମହାରାଷ୍ଟ୍ରରେ ବସିଥିବା ପପ୍ପୁ ସେନା ମୋତେ ବହୁତ ମିସ୍ କରୁଛନ୍ତି । ଏତେ ବି ମିସ୍ କରନ୍ତୁ ନାହିଁ, ମୁଁ ଖୁବ୍ ଶୀଘ୍ର ସେଠାକୁ ଯାଉଛି । କଙ୍ଗନାଙ୍କ ଏହି ଟୁଇଟ୍ ସ୍ପଷ୍ଟ କରୁଛି ଯେ ସେ ମହାରାଷ୍ଟ୍ର ସରକାରଙ୍କ ସହ ଲଢିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ।

Share