ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ କଙ୍ଗନା!

ମୁମ୍ବାଇ: ଚଳିତ ବର୍ଷ ରିଲିଜ୍ ହେବାକୁ ଯାଉଥିବା ଚଳଚ୍ଚିତ୍ର ‘ଥାଲାଇବି’ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜେ. ଜୟଳଲିଥାଙ୍କ ଚରିତ୍ରରେ ନଜର ଆସୁଥିବା ବଲିଉଡ୍ ନାୟିକା କଙ୍ଗନା ରାନାୱତ ଅନ୍ୟଜଣେ ରାଜନୀତିଜ୍ଞଙ୍କ ଭୂମିକାରେ ନଜର ଆସିବେ ବୋଲି ଜଣାପଡିଛି । ତେବେ ଏହା ‘ଥାଲାଇବି’ ପରି ବାୟୋପିକ୍ ନୁହେଁ । ଏଥିରେ କଙ୍ଗନାଙ୍କ ସହ ଆଉ ବି କେତେଜଣ ମୁଖ୍ୟ କଳାକାରଙ୍କୁ ଦେଖିବାକୁ ମିଳିବ । ନିକଟରେ କଙ୍ଗନା ଜେ.ଜୟାଲଳିଥାଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକର ଶୁଟିଂ ଶେଷ କରିଛନ୍ତି । ଏହାସହ ସେ ତାଙ୍କର ଆକ୍ସନ ଫିଲ୍ମ ‘ଧାକଡ’ ଓ ‘ତେଜସ’ ର ଶୁଟିଂ ମଧ୍ୟ ଆରମ୍ଭ କରି ସାରିଛନ୍ତି । ସେ ତାଙ୍କ ଅଗାମୀ ଫିଲ୍ମକୁ ନେଇ ସୂଚନା ଦେଇଛନ୍ତି ଯେ ସେ ଇନ୍ଦିରା ଗାନ୍ଧୀଙ୍କ ଚରତ୍ରରେ ଅଭିନୟ କରିବାର ଯୋଜନା ରହିଛି । ଏଥିପାଇଁ ସ୍କ୍ରିପ୍ଟ ଖୁବ୍‌ଶୀଘ୍ର ଶେଷ ହେବ । ତେବେ ଏହା ଇନ୍ଦିରା ଗାନ୍ଧୀଙ୍କ ବାୟୋପିକ୍ ନୁହେଁ । ବରଂ ଏହା ଏକ ଭବ୍ୟ ପିରିୟଡ ଫିଲ୍ମ । ଯାହା ବର୍ତ୍ତମାନର ପିଢିଙ୍କୁ ଦେଶରେ ଚାଲିଥିବା ସାମାଜିକ-ରାଜନୀତିକ ସ୍ଥିତି ସମ୍ପର୍କରେ ଭଲ ଭାବରେ ବୁଝାଇ ପାରିବ । ସେ କହିଛନ୍ତି ଏହି ଫିଲ୍ମରେ ଆହୁରି କେତେଜଣ ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିବ । ଏହାସହ ଭାରତୀୟ ରାଜନୀତି ଇତିହାସରେ ସବୁଠାରୁ ଆଇକନିକ ଚରିତ୍ର ତାଙ୍କୁ ମିଳିଥିବାରୁ ସେ ଖୁବ୍ ଉତ୍ସାହିତ ଅଛନ୍ତି । ତେବେ ସେ ଏଥିରେ ଅଭିନୟ କରିବା ସହ ଏହାର ପ୍ରଯୋଜନା ଭାର ବି ସମ୍ଭାଳିଛନ୍ତି । ଏହାର କାହାଣୀ ଓ ସ୍କ୍ରିନ୍ ପ୍ଲେ ନିର୍ଦ୍ଦେଶନା ସାଇ କବି ଲେଖିଛନ୍ତି । ଯିଏ ଏହାର ନିର୍ଦ୍ଦେଶନା ବି ଦେବେ । ଉଲ୍ଲେଖନୀୟ କଥା ହେଉଛି ଏହି ଫିଲ୍ମ ଏକ ପୁସ୍ତକ ଉପରେ ଆଧାରିତ ହେବ । ଯେଉଁଥିରେ ଅପରେଶନ ବ୍ଲୁ ଷ୍ଟାର ଓ ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳ ମଧ୍ୟରେ ଲଗା ଯାଇଥିବା ଏମରଜେନ୍ସିକୁ ବି ଗୁରୁତ୍ୱ ଦିଆଯିବ । ଏଥିରେ ଇନ୍ଦିରାଙ୍କ ସମେତ ରାଜୀବ ଗାନ୍ଧୀ, ସଞ୍ଜୟ ଗାନ୍ଧୀ, ମୋରାରଜୀ ଦେଶାଇ, ଲାଲ ବାହାଦୂର ଶାସ୍ତ୍ରୀଙ୍କ ଭଳି ବରିଷ୍ଠ ରାଜନେତାଙ୍କୁ ମଧ୍ୟ ଉପସ୍ଥାପନ କରାଯିବ ।

Share