କଙ୍ଗନାଙ୍କ ମଜା ଉଡ଼ାଇଲେ ଏହି ସାଉଥ୍‌ ହିରୋ

ମୁମ୍ବାଇ: ବଲିଉଡ୍‌ର ଡ୍ୟାସିଂ ଗର୍ଲ ଭାବରେ ଜଣାଶୁଣା କଙ୍ଗନା ରାଣାଓ୍ବତ୍‌ ଯେକୌଣସି କଥାକୁ ନେଇ ନିଜର ମତ ପ୍ରକାଶ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଆଜିକାଲି ସେ ‘ତେଜସ’ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି।

କଙ୍ଗନା ଅଧିକରୁ ଅଧିକ ଲୋକଙ୍କୁ ହଲ୍‌ ଯାଇ ଫିଲ୍ମ ଦେଖିବା ପାଇଁ ଏକ ଭିଡିଓ ଜାରି କରି ନିବେଦନ କରିଥିଲେ। ଏହା ପରେ ଅଭିନେତ୍ରୀଙ୍କୁ ଟ୍ରୋଲ୍‌ କରାଯାଇଛି। କିନ୍ତୁ କଙ୍ଗନା ମଧ୍ୟ ଚୁପ୍‌ ରହିବା ଲୋକ ନୁହନ୍ତି। ଯେଉଁମାନେ ତାଙ୍କ ବିଷୟରେ ଖରାପ କଥା କହିଥିଲେ ସେମାନଙ୍କୁ ସେ ଜବାବ ଦେଇଛନ୍ତି।

କେବଳ ଏତିକି ନୁହେଁ, ସାଉଥ ଇଣ୍ଡଷ୍ଟ୍ରି ଅଭିନେତା ପ୍ରକାଶ ରାଜ ମଧ୍ୟ କଙ୍ଗନାଙ୍କ ମଜା ଉଡ଼ାଇଥିଲେ। ସେ ଅଭିନେତ୍ରୀଙ୍କ ଭିଡିଓ ଉପରେ ମନ୍ତବ୍ୟ ଦେଇ କହିଛନ୍ତି, ‘୨୦୧୪ରେ ଭାରତ ସ୍ବାଧୀନତା ପାଇଲା … ଟିକିଏ ଅପେକ୍ଷା କର … ସବୁକିଛି ଧିରେ ଧିରେ ବଦଳିଯିବ।’

ପ୍ରକାଶଙ୍କ କଥାରେ ଅଭିନେତ୍ରୀ ଉତ୍ତର ଦେଇଛନ୍ତି, ‘ଯେଉଁମାନେ ମୋ ପାଇଁ ଖରାପ କାମନା କରିଛନ୍ତି, ସେମାନଙ୍କ ଜୀବନ ନର୍କରେ ପରିଣତ ହେବ କାରଣ ସେମାନେ ମୋତେ ପ୍ରତିଦିନ ଅଧିକ ଉଚ୍ଚରେ ଦେଖିବେ। ଯେତେବେଳେ ମୋର କିଛି ନ ଥିଲା, ମୁଁ ୧୫ ବର୍ଷ ବୟସରେ ଘର ଛାଡ଼ିଥିଲି। ମୁଁ କ୍ରମାଗତ ଭାବରେ ମୋର ନିଜ ଭାଗ୍ୟ ଲେଖୁଛି ଏବଂ ସେଠାରେ ଅନେକ ପ୍ରମାଣ ଅଛି ଯେ, ମୁଁ ମହିଳା ସଶକ୍ତିକରଣ ଏବଂ ଏହି ଦେଶ ପାଇଁ କିଛି କରିବା ପାଇଁ ଉଦ୍ଦିଷ୍ଟ। ସେହି ଲୋକଙ୍କ ମାନସିକ ସ୍ବାସ୍ଥ୍ୟ ପାଇଁ, ମୁଁ ଚାହେଁ ଯେ, ସେମାନେ ମୋର ଫ୍ୟାନ କ୍ଲବରେ ଯୋଗ ଦିଅନ୍ତୁ। ମୁଁ ଚାହେଁ ମୋର ଶୁଭେଚ୍ଛୁମାନେ ଏହିପରି ଲୋକମାନଙ୍କ ପ୍ରତି ଭଲ ଆଚରଣ କରନ୍ତୁ ଏବଂ ସେମାନଙ୍କୁ ରାସ୍ତା ଦେଖାନ୍ତୁ।

Share