କଙ୍ଗନାଙ୍କୁ ମିଳିବ ସ୍ବତନ୍ତ୍ର ସୁରକ୍ଷା

ମୁମ୍ବାଇ,୭।୯: ବଲିଉଡ୍‌ ନାୟିକା କଙ୍ଗନା ରାନାଓ୍ବତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ପ୍ରାୟ ୨ ଦିନ ପୂର୍ବରୁ ଶିବସେନା ଏମ୍‌ପି ସଞ୍ଜୟ ରାଉତ କଙ୍ଗନାଙ୍କୁ ମୁମ୍ବାଇ ନ ଆସିବାକୁ ଧମକ ଦେଇଥିଲେ। ଏହାସହ ଶିବସେନାର ମହିଳା କର୍ମୀମାନେ କଙ୍ଗନାଙ୍କ ପୋଷ୍ଟର ଉପରେ ଚପଲମାଡ କରିବା ଘଟଣା ମଧ୍ୟ ସାମ୍ନକୁ ଆସିଥିଲା। ଏହାପରେ ବି କଙ୍ଗନା ସେପ୍ଟେମ୍ବର ୯ରେ ମୁମ୍ବାଇ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମେ କଙ୍ଗନାଙ୍କୁ ମୁମ୍ବାଇ ଗସ୍ତ କରିବାକୁ ହିମାଚଳ ପ୍ରଦେଶ ସରକାର ସୁରକ୍ଷା ଦେବା କଥା ଘୋଷଣା କରିଛନ୍ତି। ଏବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି ଯେ କଙ୍ଗନାଙ୍କୁ କେନ୍ଦ୍ର ସରକାର ‘ଓ୍ବାଇ’ ସୁରକ୍ଷା ଯୋଗାଇ ଦେବେ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କଙ୍ଗନାଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯାଇଛି। ଏଥିପାଇଁ କଙ୍ଗନାଙ୍କ ନିକଟରେ ୧୧ ଯବାନ ମୁତୟନ ରହିବେ। ଏମାନଙ୍କ ମଧ୍ୟରେ ଜଣେ କିମ୍ବା ୨ ଜଣ କମାଣ୍ଡୋ ରହିବା ସହ ବାକି ପୋଲିସ ରହିବେ। ଏଥିପାଇଁ ଏକ ନୋଟିଫିକେଶନ ମଧ୍ୟ ଜାରି କରାଯିବ। କୁହାଯାଉଛି କି କଙ୍ଗନା ସେପ୍ଟେମ୍ବର ୯ରେ ମୁମ୍ବାଇ ପହଞ୍ଚିବା ପରେ ପରେ ତାଙ୍କୁ ‘ଓ୍ବାଇ’ ସୁରକ୍ଷା ମିଳିଯିବ। ଏହା ଜଣାପଡିବା ପରେ କଙ୍ଗନା ସ୍ବରାଷ୍ଟ୍ର ମନ୍ତ୍ରି ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଏଥିରୁ ସ୍ପଷ୍ଟ ହେଲା ଯେ କୌଣସି ଦେଶଭକ୍ତର କଥାକୁ କେହି ଫାଶୀବାଦୀ ଅଟକାଇ ପାରିବେ ନାହିଁ। ଶାହା ହୁଏତ ତାଙ୍କୁ କିଛିଦିନ ପରେ ମୁମ୍ବାଇ ଯିବାକୁ ପରାମର୍ଶ ଦେଇ ଥାଆନ୍ତେ କିନ୍ତୁ ଭାରତ ମାତାର କନ୍ୟାର କଥାକୁ ଶାହ ସମ୍ମାନ ଦେଇଛନ୍ତି। ସୂଚନାଯୋଗ୍ୟ, ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ବଲିଉଡ୍‌ରେ ପ୍ରିୟାପ୍ରିତି ପୋଷଣ କଥା ଉଠାଇ ଚର୍ଚ୍ଚାକୁ ଆସିଥିଲେ କଙ୍ଗନା। ଏହା କେବଳ ମନୋରଞ୍ଜନ ଦୁନିଆ ନୁହେଁ ଏବେ ଏହି ନେପୋଟିଜିମ କଥା ରାଜନୈତିକ ମହଲକୁ ବି ସରଗରମ କଲାଣି।

Share