ଭିନେଶ ଫୋଗାଟଙ୍କୁ ଟାର୍ଗେଟ କଲେ କଙ୍ଗନା, କହଦେଲେ ଏମିତି…

ନୂଆଦିଲ୍ଲୀ,୭।୮:ବଲିଉଡ ଅଭିନେତ୍ରୀ ତଥା ମଣ୍ଡି ଏମପି କଙ୍ଗନା ରଣାଓ୍ବତ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରୁହନ୍ତି। କେତେବେଳେ ନିଜ ବେଧଡକ ବୟାନକୁ ନେଇ ତ ଆଉ କେତେବେଳେ ନିଜ ସୋଶାଲ ମିଡିଆ ପୋଷ୍ଟକୁ ନେଇ ସେ ସର୍ବଦା ହେଡଲାଇନରେ ରୁହନ୍ତି। ଏବେ ରେସଲର୍‌ ଭିନେଶ ଫୋଗାଟଙ୍କ ପ୍ୟାରିସ ଅଲିମ୍ପିକ୍ସରେ ତାଙ୍କ ଯାତ୍ରାକୁ ନେଇ ସମସ୍ତେ ପ୍ରଶଂସା କରୁଥିବା ବେଳେ କଙ୍ଗନା କିନ୍ତୁ ତାଙ୍କୁ କରିଛନ୍ତି ଟାର୍ଗେଟ। ଏହାକୁ ନେଇ ସେ ଏବେ ଚର୍ଚ୍ଚାକୁ ଆସିଛନ୍ତି।

ଭାରତୀୟ ମହିଳା ରେସଲର ଭିନେଶ ଫୋଗାଟ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଇତିହାସ ରଚିଛନ୍ତି। ମହିଳା ୫୦ କିଲୋଗ୍ରାମ ବର୍ଗର ସେମିଫାଇନାଲରେ କ୍ୟୁବା ରେସଲର ୟୁସନିଲିସ ଗୁଜମାନଙ୍କୁ ପରାସ୍ତ କରି ସେ ଫାଇନାଲରେ ପ୍ରବେଶ କରିଛନ୍ତି। ହେଲେ ୫୦ କିଲୋରୁ ଅଧିକ ଓଜନ ଯୋଗୁ ସେ ଫାଇନାଲରେ ଡିସକ୍ୱାଲିଫାଏଡ ହୋଇଛନ୍ତି। ଏତେସବୁ ପରେ ଭିନେଶଙ୍କ ପରିଶ୍ରମ ପାଇଁ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। କିନ୍ତୁ ଅନ୍ୟପଟେ ଅଭିନେତ୍ରୀ କଙ୍ଗନା କିନ୍ତୁ ତାଙ୍କୁ ନେଇ ଦେଇଛନ୍ତି ଭିନ୍ନ ପ୍ରତିକ୍ରିୟା।

ରେସଲର୍‌ ଭିନେଶ ଫୋଗାଟଙ୍କୁ ନେଇ କଙ୍ଗନା ନିଜ ଇନଷ୍ଟାଗ୍ରାମ ଏକ ପୋଷ୍ଟ ଶେୟାର କରିଛନ୍ତି। ଏଥିରେ ସେ ତ୍ରିରଙ୍ଗା ସହ ଭିନେଶଙ୍କ ଫଟୋ ଶେୟାର କରିଛନ୍ତି। ଆଉ ଏଥିରେ ସେ ଲେଖିଛନ୍ତି, ଭାରତକୁ ତା’ର ପ୍ରଥମ ଗୋଲ୍ଡ ମିଳୁ ବୋଲି ମୁଁ ପ୍ରାର୍ଥନା କରୁଛି। ଭିନେଶ ଫୋଗାଟ ଦିନେ ଆନ୍ଦୋଳନରେ ଭାଗ ନେଇଥିଲେ। ଏଥିରେ ସେ ମୋଦିଙ୍କ ବିରୋଧରେ ନାରା ଦେଇଥିଲେ। ଏହା ସତ୍ତ୍ୱେ ବି ତାଙ୍କୁ ଦେଶର ପ୍ରତିନିଧିତ୍ୱ କରିବାକୁ ସୁଯୋଗ ମିଳିଲା। ସେ ସର୍ବୋତ୍ତମ ପ୍ରଶିକ୍ଷଣ, କୋଚ ଏବଂ ସୁବିଧା ପାଇଲେ। ଏହା ହେଉଛି ଗଣତନ୍ତ୍ରର ସୌନ୍ଦର୍ଯ୍ୟ ଏବଂ ଜଣେ ଭଲ ନେତାର ପରିଚୟ।

କଙ୍ଗନାଙ୍କ ଏହି ପୋଷ୍ଟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କହିବାକୁ ଗଲେ ଗତବର୍ଷ ଭିନେଶ ଫୋଗାଟା ପୂର୍ବତନ ଭାରତୀୟ ରେସଲିଂ ଫେଡେରେଶନ ମୁଖ୍ୟ ବ୍ରିଜ ଭୂଷଣ ସିଂହ ଶରଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହା ପରେ, ସେ ତାଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରିଥିଲେ। ଏଥିଯୋଗୁ ସେ ଦୀର୍ଘ ସମୟ ଧରି କୁସ୍ତିରୁ ଦୂରେଇ ରହିଥିଲେ।

Share