Categories: ଜାତୀୟ

କଙ୍ଗନାଙ୍କୁ ଟାର୍ଗେଟ କଲେ ନିଜ ଦଳର ନେତା, କହିଲେ ଭଡଭଡ ହୋଇ….

ନୂଆଦିଲ୍ଲୀ,୨୬।୯: ଅଭିନେତ୍ରୀ ତଥା ଭାଜପା ଏମପି କଙ୍ଗନା ରଣାଓ୍ବତଙ୍କ ୩ କୃଷି ବିଲ୍‌କୁ ନେଇ ଦେଇଥିବା ଟିପ୍ପଣୀ ଉପରେ ଜାତୀୟ ରାଜନୀତି ସରଗରମ ରହିଛି। ସ୍ଥିତି ଏପରି ହୋଇଛି ଯେ, ନିଜ ଦଳର ନେତା ତାଙ୍କୁ ଲଗାତାର ସମାଲୋଚନା କରୁଛନ୍ତି। ମଣ୍ଡିର ଏମପି କଙ୍ଗନା ସରକାରଙ୍କୁ ପରାମର୍ଶ ଦେଇ କହିଥିଲେ, ସରକାର ଏହି ୩ ଆଇନ୍‌କୁ ଫେରାଇ ଆଣିବା ଉଚିତ୍‌। କିନ୍ତୁ କଙ୍ଗନାଙ୍କ ଏହି ଟିପ୍ପଣୀ ପରେ ଭାଜପା ନିଜକୁ ଦୂରେଇ ରଖିଥିଲା। ଏଥିସହ ତାଙ୍କ ଦଳର ଲୋକ ତାଙ୍କୁ ସମାଲୋଚନା କରିଥିଲେ।

ଭାଜପାର ଜାତୀୟ ମୁଖପାତ୍ର ଜୟବୀର ଶେରଗିଲ କହିଛନ୍ତି, କାହାର ଏପରି ଅଯୌକ୍ତିକ ଓ ଅତର୍କିତ ଟିପ୍ପଣୀ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦିଙ୍କ ପଞ୍ଜାବ ସହିତ ସମ୍ପର୍କ ଖରାପ ହେବାର ଆକଳନ କରିବା ଜରୁରୀ। କଙ୍ଗନାଙ୍କ ଏପରି ଭଡଭଡ ହୋଇ ନିରାଧାର କଥା କହିବା ମୋଦି ପଞ୍ଜାବରେ କରୁଥିବା କଲ୍ୟାଣକାରୀ କାମକୁ କ୍ଷତି ପହଞ୍ଚାଉଛି। ତେବେ ଏହାକୁ ନେଇ କଙ୍ଗନା କ୍ଷମା ମାଗିବା ସହ ଆଗକୁ ଏପରି ବୟାନ ଦେବା ପୂର୍ବରୁ କ୍ଷାନ ରଖିବେ ବୋଲି କହିଛନ୍ତି।

୨୦୨୧ରେ ମୋଦି ସରକାରଙ୍କ ଦ୍ୱାରା ରଦ୍ଦ କରାଯାଇଥିବା ୩ କୃଷି ଆଇନକୁ ଫେରାଇ ଆଣିବା ଉଚିତ ବୋଲି ମଙ୍ଗଳବାର ଭାଜପା ଏମ୍‌ପି କଙ୍ଗନା ରାଣାଓ୍ବତ ବୟାନ ଦେଇଥିଲେ। ତେବେ ବୁଧବାର ସେ ଏହି ବୟାନକୁ ନେଇ କ୍ଷମା ମାଗିଛନ୍ତି। କଙ୍ଗନା ଏକ୍ସ’ରେ ନିଜର ଏକ ଭିଡିଓ ପୋଷ୍ଟକରି କହିଛନ୍ତି, ୩ କୃଷି ଆଇନକୁ ଫେରାଇ ଅଣାଯାଉ ବୋଲି ତାଙ୍କର ବ୍ୟକ୍ତିଗତ ଭାବେ ଇଚ୍ଛା ରହିଛି। ଏହି ବ୍ୟକ୍ତିଗତ ମତକୁ ଭାଜପାର ମତ ବୋଲି ଧରିବା ଠିକ୍‌ ନୁହେଁ। ଏବେ ସେ କେବଳ ଜଣେ ଅଭିନେତ୍ରୀ ନୁହନ୍ତି ବରଂ ଏମ୍‌ପି ମଧ୍ୟ। ତେଣୁ ଦଳୀୟ ନୀତି ଅନୁଯାୟୀ, ତାଙ୍କୁ ବୟାନ ଦେବାକୁ ପଡ଼ିବ। ୩ କୃଷି ଆଇନକୁ ଫେରାଇ ଆଣିବା ନେଇ ତାଙ୍କର ବୟାନ ବହୁ ବରିଷ୍ଠ ଭାଜପା ନେତାଙ୍କୁ ନିରାଶ କରିଛି ବୋଲି କହି କଙ୍ଗନା ଦୁଃଖ ପ୍ରକଶ କରିଛନ୍ତି।
କଙ୍ଗନାଙ୍କ ମନ୍ତବ୍ୟକୁ କେନ୍ଦ୍ରକରି ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ପ୍ରଧାନମନ୍ତ୍ରୀ କଙ୍ଗନାଙ୍କର ମନ୍ତବ୍ୟକୁ ସମର୍ଥନ କରୁଛନ୍ତି ନା ବିରୋଧ କରୁଛନ୍ତି ସେନେଇ ଦେଶବାସୀ ଜାଣିବାକୁ ଚାହାନ୍ତି ବୋଲି ରାହୁଲ କହିଛନ୍ତି।

Share